ବନ୍ୟାଘେରରୁ ପ୍ରସୂତୀଙ୍କ ସମେତ ୩୦ ଜଣଙ୍କୁ ଉଦ୍ଧାର ।

ଭଦ୍ରକ,୨୯/୦୯: ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। କଂଶବାଂଶ ଓ ଗମେଇ ନଦୀର ବନ୍ୟାଜଳ ତଳିଆ ଅଞ୍ଚଳର ବିଭିନ୍ନ ଗାଁକୁ ପଶିବା ପରେ ଅନେକ ଲୋକ ଜଳବନ୍ଦୀ ହୋଇଛନ୍ତି। ଅଢୁଆଁ ଗାଁରେ ବନ୍ୟାଜଳ ଘେରରେ ଫସିଥିବା ଜଣେ ନଅ ମାସର ଗର୍ଭବତୀ ମହିଳାଙ୍କ ସମେତ ୩୦ ଜଣଙ୍କୁ ଅଗ୍ନିଶମ ବାହିନୀ ବୋଟ୍‌ ଯୋଗେ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ଗାଁରେ ବନ୍ୟାଜଳ ପଶିଥିବାବେଳେ ହଠାତ୍ ଜଳସ୍ତର ବଢ଼ିଯିବାରୁ ଅନେକ ଘରେ ପାଣି ପଶିଯାଇଥିଲା। ଏହି ସମୟରେ ନନ୍ଦକିଶୋର ମଲ୍ଲିକଙ୍କ ପତ୍ନୀ ସ୍ୱପ୍ନା ଅସୁସ୍ଥ ଅନୁଭବ କରିଥିଲେ। ନଅ ମାସର ଗର୍ଭବତୀ ସ୍ୱପ୍ନା ଦୁଇ ଦିନ ଧରି ଯନ୍ତ୍ରଣାରେ ଥିବା ନେଇ ଗାଁର ଜଣେ ମହିଳା ପ୍ରଶାସନକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ବୋଟ୍‌ ଯୋଗେ ସ୍ୱପ୍ନାଙ୍କୁ ବନ୍ୟାଜଳ ଘେରରୁ ଉଦ୍ଧାର କରିଥିଲା। ପରେ ସ୍ୱାସ୍ଥ୍ୟକର୍ମୀମାନେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ। ଏହା ସହ ବନ୍ୟାଜଳ ଘେରରେ ରହିଥିବା ଅନ୍ୟ ୨୯ ଜଣଙ୍କୁ ମଧ୍ୟ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

Comments (0)
Add Comment