ମାଲକାନଗିରି,୨୭/୦୫(ପିପିଟି): ମୁଦୁଲି ପଡା ଥାନା ପୋଲିସ ବନ୍ଧୁକ ସହ ୧୧୨ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଜଣା ପଡିଛି ।ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ଗଞ୍ଜେଇ ମାଫିଆଙ୍କୁ ଧରପଗଡ଼କୁ ଜୋରଦାର କରାଯାଇଛି। ବୁଧୁବାର ମୁଦୁଲିପଡା ଥାନା କର୍ମଚାରୀଙ୍କ ଦ୍ଵାରା ପାଟ୍ରୋଲିଂ ସମୟରେ ପୂଜାରିଗୁଡା ଗାଁ ନିକଟ ଜଙ୍ଗଲରେ ୨ ଜଣ ବ୍ୟକ୍ତି ଗୋଟିଏ ବାଇକରେ ଚାରି ଗୋଟି ପ୍ୟାକେଟ ଧରି ଛିଡା ହୋଇଥିବା ଦେଖିଥିଲେ। ପୋଲିସକୁ ଦେଖି ଅନ୍ଧାରରେ ସେମାନେ ଗାଡି ଓ ବସ୍ତା ଛାଡି ଧାଇଁ ପଳାଉଥିବା ବେଳେ ଜଙ୍ଗଲରେ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଯାଞ୍ଚ କରିବାରୁ ବସ୍ତାରେ ଗଞ୍ଜେଇ ଥିବା ଓ ସେଠାରେ ଜଙ୍ଗଲରେ ୨ ଟି ଗୁଳି ଭର୍ତ୍ତି ସିଙ୍ଗଲ ବୋର ବନ୍ଧୁକ ପଡ଼ିଥିବା ଦେଖି ଜବତ କରି ଥାନାକୁ ଆଣିଥିଲେ। ଗିରଫ ବ୍ୟକ୍ତି ଜଣକ ମାଥିଲି ଅନ୍ତର୍ଗତ ଜାମ୍ବରୀଗୁଡା ଗ୍ରାମର ଜମାରି ଖିଲ। ଜବତ ଚାରୋଟି ବସ୍ତାରେ ୧୧୨ କେଜି ଗଞ୍ଜେଇ ଥିବାବେଳେ ଏହାକୁ ଜମ୍ବାରୀଗୁଡାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡକୁ ବିକ୍ରି ପାଇଁ ନେଉଥିବା ଜଣାପଡିଛି। ଏନଡିପିଏସ ଆକ୍ଟ ଏବଂ ଆର୍ମସ ଆକ୍ଟରେ ମୁଦୁଲିପଡା ଥାନାରେ ଏକ ମାମଲା ପଞ୍ଜିକୃତ ହୋଇ ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଫେରାର ଥିବା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଥିବା ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି।
(ରୋପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)