ବଢ଼ି ଚାଲିଛି ବେପରୁଆ ବାଇକ୍ ଚାଳନା।

ବୋଲଗଡ଼,୦୬/୦୮(ପିପିଟି):ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେନ୍ଦ୍ରସ୍ଥଳ ରାଜସୁନାଖଳା ଅଞ୍ଚଳରେ ଦିନକୁ ଦିନ ନାବାଳକ ଓ ନାବାଳିକାଙ୍କ ବେପରୁଆ ବାଇକ୍ ଚାଳନା ବୃଦ୍ଧି ପାଉଥିବା ଘଟଣା ସାଧାରଣ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପଢୁଆ ନାବାଳକ- ନାବାଳିକାମାନେ ମୁଖ୍ୟ ରାସ୍ତା, ବଜାର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦ୍ରୁତ ଗତିରେ ବାଇକ୍ ଚଳାଉଥିବା ଦୃଶ୍ୟ ପ୍ରାୟ ପ୍ରତିଦିନ ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ଆଇନର ଖୋଲା ଉଲ୍ଲଂଘନ ହୋଇଥିବା ବେଳେ ସଡ଼କ ସୁରକ୍ଷା ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସକାଳେ ସ୍କୁଲ ଓ କଲେଜ ଯିବା ସମୟରେ ଏବଂ ଅପରାହ୍ନରେ ଛୁଟି ପରେ ଅନେକ ନାବାଳକ-ନାବାଳିକା ହେଲମେଟ୍ ବିନା ବାଇକ୍ ଚଳାଉଛନ୍ତି। କେତେକ କ୍ଷେତ୍ରରେ ତିନିଜଣ ଲେଖାଏଁ ଗୋଟିଏ ବାଇକ୍‌ରେ ଯାତ୍ରା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଅନେକ ଯୁବକ ଉଚ୍ଚ ଶବ୍ଦରେ ହର୍ଣ୍ଣ ବଜାଇବା, ହଠାତ୍ ଓଭରଟେକ୍ କରିବା ଏବଂ ବେପରୁଆ ଗତିରେ ବାଇକ୍ ଚଳାଇବା ଭଳି ବିପଜ୍ଜନକ କାର୍ଯ୍ୟ କରୁଥିବାରୁ ପଥଚାରୀ ଓ ଅନ୍ୟ ଯାନବାହନ ଚାଳକମାନେ ଭୟଭୀତ ହେଉଛନ୍ତି। ଅନେକ ସମୟରେ ଏଭଳି ବେପରୁଆ ଗାଡ଼ି ଚାଳନା ଯୋଗୁଁ ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟୁଥିବା ନଜିର ରହିଛି। କେତେକ ଘଟଣାରେ ନାବାଳକ ମାନେ ନିଜେ ଗୁରୁତର ଆହତ ହେବା ସହ ନିରୀହ ପଥଚାରୀମାନେ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛନ୍ତି। ତଥାପି ଏହି ପ୍ରବୃତ୍ତି ଉପରେ ପ୍ରଭାବଶାଳୀ ରୋକ୍ ଲାଗିପାରୁନାହିଁ। ମୋଟର ଯାନ ଆଇନ ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ବ୍ୟକ୍ତି ଲାଇସେନ୍ସ ବିନା ମୋଟରସାଇକେଲ ଚଳାଇବା ବେଆଇନ। ଏପରି କ୍ଷେତ୍ରରେ କେବଳ ନାବାଳକ ନୁହେଁ, ଗାଡ଼ିର ମାଲିକ ଓ ଅଭିଭାବକଙ୍କ ବିରୋଧରେ ମଧ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ତଥାପି ଅନେକ ଅଭିଭାବକ ନିଜ ସନ୍ତାନଙ୍କୁ ଗାଡ଼ି ଚଳାଇବାକୁ ଦେଉଥିବାରୁ ସଚେତନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନମାନଙ୍କ ମତରେ, କେବଳ ପୋଲିସର ଚଢ଼ାଉ କିମ୍ବା ଜରିମାନା ଯଥେଷ୍ଟ ନୁହେଁ। ସ୍କୁଲ, କଲେଜ, ଅଭିଭାବକ ଓ ପରିବହନ ବିଭାଗ ମିଳିତ ଭାବେ ସଚେତନତା ସୃଷ୍ଟି କଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ସମ୍ଭବ ହେବ।
ଏଭଳି ପରିସ୍ଥିତିରେ ରାଜସୁନାଖଳା ଫାଣ୍ଡି,ବୋଲଗଡ଼ ପୋଲିସ ପକ୍ଷରୁ ନିୟମିତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ, ନାବାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ ଅଭିଭାବକଙ୍କୁ ସଚେତନ କରିବା ପାଇଁ ବିଶେଷ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ନଚେତ୍ ଯେକୌଣସି ସମୟରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment