ପୋଲସରା,୦୧/୦୬ (ପିପିଟି) : ପୋଲସରା ବ୍ଲକ୍ ଖଣ୍ଡୁରୁ ଗ୍ରାମ ପଞ୍ଚାୟତ ସ୍ଥିତ ଚଢ଼ିଆପଲ୍ଲୀ କୃଷ୍ଣଦାସପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାଳୀଚରଣ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ପୋଲସରା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମଟିକୁ ମୁଖ୍ୟଅତିଥି ଭାବେ ସଙ୍ଘ ଉପଦେଷ୍ଟା ଦୂର୍ଗାପ୍ରସାଦ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟ କଳମ୍ବର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ କଳମ୍ୱ କ୍ଲଷ୍ଟର ସମ୍ବଳ ଶିକ୍ଷକ (ସିଆରସିସି) ଅଜିତ କୁମାର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି କାହ୍ନୁ ଚରଣ ସାହୁ, ଚଢ଼ିଆପଡା କନକଦୂର୍ଗା ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାତ୍ର, ପୋଲସରା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଅମିତାଭ ମିଶ୍ର, ପୂର୍ବତନ ସିଆରସିସି ସତ୍ୟ ନାରାୟଣ ନାୟକ, କଳମ୍ୱ ପାଟଣା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା କୁମାରୀ ସାହୁଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ନାରାୟଣ ନାୟକ, ସଞ୍ଜୟ କୁମାର ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ସାହୁ ଓ ରବି ନାରାୟଣ ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଅତିଥିବୃନ୍ଦ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ଜରିଆରେ କାଳୀଚରଣ ମହାପାତ୍ରଙ୍କୁ ଜଣେ ଆଦର୍ଶ, କର୍ମଠ, ଦକ୍ଷ ସଂଗଠକ ଏବଂ ଜ୍ଞାନୀ ଶିକ୍ଷକ ଭାବେ ଅଭିହିତ କରିବା ସହ ତାଙ୍କର ସ୍ୱତନ୍ତ୍ର ବାକ୍ ଚଢ଼ୁରି ଗୁଣ ସକାଶେ ପୋଲସରା ଅଞ୍ଚଳର ଜଣେ କବି ଜଦୁମଣୀ ମହାପାତ୍ର ଅଟନ୍ତି ବୋଲି ପ୍ରସ°ଶା କରିଥିଲେ। ଏବଂ ତାଙ୍କର ଅବସର ଜୀବନ ନିରାମୟ ଏବଂ ଆନନ୍ଦମୟ ହେଉ ବୋଲି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ପର°ପରା ଅନୁସାରେ ମହାପାତ୍ରଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ ସହିତ ପୁରସ୍କାର ଏବଂ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କୃତ ସଂକଳନ ‘ବୈଦେହିଶ ବିଳାସ’ ପୁସ୍ତକ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷକ ନିଜର ଭାବ ବିହ୍ବଳ କଣ୍ଠରେ ନିଜର ଦୀର୍ଘ ୩୦ ବର୍ଷ ଶିକ୍ଷକତା ଜୀବନର ଅନୁଭୂତିର ବର୍ଣ୍ଣନା କରିବା ସହ ତାଙ୍କୁ ମିଳିଥିବା ସମସ୍ତଙ୍କ ଆନ୍ତରିକ ସ୍ନେହ, ଶ୍ରଦ୍ଧା ଏବଂ ସହଯୋଗ ପାଇଁ ନିଜର ଅନ୍ତରର ପ୍ରଦେଶରୁ ଧନ୍ୟବାଦ୍ ସହିତ କୃତଜ୍ଞତା ଜଣାଇଥିଲେ। ଏଥିସହିତ ସମସ୍ତଙ୍କ ମଙ୍ଗଳ ଏବଂ ବିଦ୍ୟାଳୟର ଉତ୍ତରୋତ୍ତର ସହିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ ଶୁଭକାମନା କରିଥିଲେ। ପ୍ରାରମ୍ଭରେ ମଞ୍ଚାସିନ ଅତିଥିମାନଙ୍କୁ ପାର°ପରିକ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯିବା ସହିତ ବିଦ୍ୟାଳୟର ୨ ଜଣ ବାଳକ ଓ ବାଳିକାଙ୍କ ଦ୍ବାରା ସେବାନିବୃତ୍ତ ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କବି ତଥା ଶିକ୍ଷକ ସତ୍ୟବାନ ପଣ୍ଡା ଅତି ସୁନ୍ଦର ଭାବେ କରିଥିଲେ। ଶେଷରେ ପୂର୍ବତନ ସିଆରସିସି ଅକ୍ଷୟ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା