ଚିକିଟି, ୨୨/୧୦(ପିପିଟି ): ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚ. ଟିକରପଡ଼ା ଗ୍ରାମରେ ବେଆଇନ ଜୁଆ ଖେଳ ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି। ଏହି ଚଢ଼ାଉରେ ଜୁଆ ଖେଳୁଥିବା ୯ ଜଣଙ୍କୁ ପୋଲିସ ଧରିବା ସହ ନଗଦ ୧ ଲକ୍ଷ ୫୫ ହଜାର ୬୦ ଟଙ୍କା ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଗତ ୨୧ ତାରିଖ ରାତି ପ୍ରାୟ ୧୧ଟା ୩୦ ମିନିଟ୍ରେ ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ସିଏଚ. ଟିକରପଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂଚନା ମିଳିଥିଲା। ଏହାପରେ କେ. ନୂଆଗାଁ ଥାନା ପୋଲିସ ଟିମ୍ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ଜୁଆ ଖେଳରେ ସମ୍ପୃକ୍ତ ବ୍ୟକ୍ତିମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ୯ ଜଣଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା।
ଘଟଣାସ୍ଥଳରୁ ନଗଦ ୧,୫୫,୦୬୦ ଟଙ୍କା, ୬ ପ୍ୟାକେଟ୍ ତାସ୍, ୬ଟି ମୋବାଇଲ୍ ଫୋନ୍, ଗୋଟିଏ ନାଲି ରଙ୍ଗର ଟର୍ଚ୍ଚ ଓ ଗୋଟିଏ ନାଲି ତାରପୋଲିନ୍ ଜବତ କରାଯାଇଛି।
ଏହି ଘଟଣାରେ କେ. ନୂଆଗାଁ ଥାନାରେ କେସ୍ ନଂ ୨୪୦/ ୨୧.୧୦.୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (BNS) ଧାରା ୧୧୨(୨) ଏବଂ ଓଡ଼ିଶା ଜୁଆ ନିରୋଧୀ ଆଇନର ଧାରା ୩ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ -(ନିଗମାନନ୍ଦ ପଣ୍ଡା )