ପ୍ରତ୍ୟେକ ଶିଶୁର ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ହିଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହେବ : ବବିତା ପାତ୍ର ।

ଛତ୍ରପୁର,୨୯/୦୯(ପିପିଟି): “ଶିଶୁ ହସିଲେ ଦେଶ ହସିବ, ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ।” ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ,ପୋଷଣ ଓ ସାମଗ୍ରିକ ବିକାଶକୁ ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ ପ୍ରାଥମିକତା ଦେଇ ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ଦିଗରେ ଗଞ୍ଜାମ ଜିଲ୍ଲା ଉଦାହରଣ ସୃଷ୍ଟି କରୁ ବୋଲି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆହ୍ୱାନ ଦେଇଛନ୍ତି ।

ଆଜି ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ଅଧୀନରେ ଶିଶୁ ସୁରକ୍ଷା ଓ ବିକାଶ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି । ଅରୁଣା, ପରିବାର ପ୍ଲସ୍‌ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବିଭାଗୀୟ ଅଧିକାରୀ ଓ କ୍ଷେତ୍ରସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବବିତା ପାତ୍ର କହିଥିଲେ ଯେ, ଗଣତନ୍ତ୍ରର ମୂଳଦୁଆ ହେଉଛି ଗ୍ରାମ ପଞ୍ଚାୟତ । ପ୍ରତ୍ୟେକ ଶିଶୁର ସୁରକ୍ଷା, ଶିକ୍ଷା ଓ ସାମଗ୍ରିକ ବିକାଶ ସୁନିଶ୍ଚିତ ହେଲେ ହିଁ ବିକଶିତ ଓଡ଼ିଶାର ଲକ୍ଷ୍ୟ ସାକାର ହୋଇପାରିବ। ପ୍ରତ୍ୟେକ ପଞ୍ଚାୟତ ଅନ୍ତତଃ ଜଣେ ଅସହାୟ ଶିଶୁର ଦାୟିତ୍ୱ ନେଇ ତା’ର ସାମଗ୍ରିକ ବିକାଶ କରିପାରିଲେ ଶିଶୁମାନଙ୍କ ଅସହାୟତା ଅନେକାଂଶରେ ଦୂର ହୋଇପାରିବ। ଗଞ୍ଜାମ ଜିଲ୍ଲା ଏ କ୍ଷେତ୍ରରେ ନେତୃତ୍ୱ ନେଇ ଉଦାହରଣ ସୃଷ୍ଟି କରୁ ବୋଲି ସେ ଆହ୍ୱାନ କରିଛନ୍ତି ।

ଗ୍ରାମ ପଞ୍ଚାୟତ ବିକାଶ ଯୋଜନାରେ ଶିଶୁଙ୍କ ସର୍ବାଙ୍ଗୀନ ମଙ୍ଗଳ ପାଇଁ ୫ ପ୍ରତିଶତ ଅର୍ଥ ବ୍ୟବହାର କରିବା ସହ ପଲ୍ଲୀସଭା ଭଳି ନିୟମିତ ‘ବାଲସଭା’ ଆୟୋଜନ କରି ଶିଶୁମାନଙ୍କ ମତାମତ, ସମସ୍ୟା ଓ ଆବଶ୍ୟକତାକୁ ସ୍ଥାନୀୟ ଯୋଜନାରେ ସାମିଲ କରିବାକୁ ସେ ପରାମର୍ଶ ଦେଇଥିଲେ । ମିଶନ ବାତ୍ସଲ୍ୟ ଅବଲୋକନରେ ଶିଶୁମାନଙ୍କୁ ପରିବାରଭିତ୍ତିକ ଯତ୍ନ ଓ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

କାର୍ଯ୍ୟକ୍ରମରେ ଅରୁଣାର ପରାମର୍ଶଦାତା ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ଶିଶୁ ବିଶେଷଜ୍ଞ ପ୍ରଭାତ କୁମାର, ଅରୁଣାର ମେମ୍ବର ସେକ୍ରେଟାରୀ ଲୋକନାଥ ମିଶ୍ର, ସି ଆର ଏସ ର ମୁଖ୍ୟ ଜିମି ଜୋସେଫ ଓ ୟୁଥ ରେଡ଼କ୍ରସ ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ଶିଶୁ ଅଧିକାରର ସୁରକ୍ଷା, ଶିଶୁମାନଙ୍କ ଆବଶ୍ୟକତା ଚିହ୍ନଟ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି ଉପରେ ଆଲୋଚନା କରିଥିଲେ ।

Comments (0)
Add Comment