କଟକ,୧୮/୧୦(ପିପିଟି): ଦୁର୍ଗାପୂଜାରେ ଉତ୍ସବମୁଖର ହୋଇଉଠିଛି ରୂପାର ସହର କଟକ। ଏହି ଅବସରରେ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ କରି ମା’ ଦୁର୍ଗାଙ୍କ ଦର୍ଶନ କରିଛନ୍ତି ବିଜୁ ଜନତା ଦଳର ନେତୃତ୍ୱ ମଣ୍ଡଳୀ। ଆଗାମୀ ଦିନରେ ବିଜେଡି ସୁପ୍ରିମୋ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ କଟକର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ଏହାକୁ ନେଇ ବିଜେଡି ଶିବିରରେ ଉତ୍ସାହ ପ୍ରକାଶ ପାଇଛି।
କଟକ ମେୟର ସୁବାସ ସିଂ ଏବଂ କଟକ ଜିଲ୍ଲା ବିଜେଡି ସଭାପତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା, କର୍ମୀ ଓ ଅନ୍ୟାନ୍ୟ ସଦସ୍ୟମାନେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଦର୍ଶନ କରିଥିଲେ। କଟକ ସିଡିଏ ସେକ୍ଟର-୬ସ୍ଥିତ ପୂଜା ମଣ୍ଡପରୁ ଏହି ପରିଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ସିଡିଏ ଅଞ୍ଚଳର ଅନ୍ୟ ପ୍ରମୁଖ ପୂଜା ମଣ୍ଡପଗୁଡ଼ିକୁ ଯାଇ ନେତାମାନେ ମା’ ଦୁର୍ଗାଙ୍କ ଆଶୀର୍ବାଦ ନେବା ସହ ପୂଜା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁଙ୍କ ସହ ଭାବ ବିନିମୟ କରିଥିଲେ।
କଟକ ସହରରେ ଦୁର୍ଗାପୂଜା କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାଇଚାରା, ସାମାଜିକ ସଦ୍ଭାବ ଓ ସାଂସ୍କୃତିକ ପରମ୍ପରାର ଏକ ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ସବୁ ବର୍ଗର ଲୋକ ଏହି ମହୋତ୍ସବରେ ଏକାଠି ହୋଇଥାନ୍ତି। ଏହି ପରମ୍ପରା କଟକର ସ୍ୱତନ୍ତ୍ର ପରିଚୟକୁ ଆହୁରି ସମୃଦ୍ଧ କରୁଥିବା ଦଳୀୟ ନେତାମାନେ କହିଛନ୍ତି।
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ କଟକର ଭାଇଚାରା ପରମ୍ପରା ଅତ୍ୟନ୍ତ ଗୌରବମୟ। ଦୁର୍ଗାପୂଜା ଏହି ସାମାଜିକ ଏକତାକୁ ଆହୁରି ମଜଭୁତ କରିଥାଏ। ଆଗାମୀ ଦିନରେ ନବୀନ ପଟ୍ଟନାୟକ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି।
ସେହିପରି କଟକ ମେୟର ସୁବାସ ସିଂ କହିଛନ୍ତି ଯେ ବିଜୁ ଜନତା ଦଳ ପକ୍ଷରୁ କଟକ ସହରର ୧୭ଟି ପ୍ରମୁଖ ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି ପରିଦର୍ଶନ ମାଧ୍ୟମରେ ପୂଜା କମିଟିର ସଦସ୍ୟ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସହ ଦୁର୍ଗାପୂଜାର ଭାଇଚାରା ଓ ସଦ୍ଭାବର ବାର୍ତ୍ତାକୁ ଆଗକୁ ବଢ଼ାଇବା ଦଳର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ନବୀନ ପଟ୍ଟନାୟକଙ୍କ ପୂଜା ମଣ୍ଡପ ପରିଦର୍ଶନ କାର୍ଯ୍ୟକ୍ରମକୁ ନେଇ ଏବେ ରାଜନୈତିକ ମହଲରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ତାଙ୍କ ପରିଦର୍ଶନର ନିର୍ଦ୍ଦିଷ୍ଟ ତାରିଖ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବା ପରେ ଅଧିକ ସ୍ପଷ୍ଟତା ମିଳିବ।