ପାର୍ବଣରେ ବେଆଇନ ମଦ ବେପାରୀଙ୍କୁ ଛାଡ଼ ନାହିଁ, ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ।

ଭୁବନେଶ୍ୱର,୧୮/୧୦(ପିପିଟି): ଦୁର୍ଗାପୂଜା ଓ ପାର୍ବଣ ଋତୁରେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ବେଆଇନ ମଦ ଉତ୍ପାଦନ, ବିକ୍ରି ଓ ଚୋରାଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇ ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଦଶହରା ଓ ପାର୍ବଣକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ସମସ୍ତ ଜିଲ୍ଲାର ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଆଯାଇଛି। ବେଆଇନ ମଦ କାରବାର ହେଉଥିବା ସ୍ଥାନଗୁଡ଼ିକରେ ନିୟମିତ ଚଢ଼ାଉ କରିବା ସହ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବେଆଇନ ମଦ କାରବାର ଯୋଗୁଁ ଯେଉଁ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହେଉଛି, ସେଠାରେ ତୁରନ୍ତ ଚଢ଼ାଉ କରାଯିବ। ଏହା ସହିତ ମଦ ଜବତ, ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ବେଆଇନ କାରବାରରେ ସମ୍ପୃକ୍ତ ନେଟୱାର୍କକୁ ଚିହ୍ନଟ କରି ତାହାର ମୂଳୋତ୍ପାଟନ ଉପରେ ଗୁରୁତ୍ୱ ଦିଆଯିବ। ଅନ୍ୟପକ୍ଷରେ, ନବରଙ୍ଗପୁର ଜିଲ୍ଲାରେ ବେଆଇନ ମଦ ବିରୋଧରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଚଳାଇଥିବା ଆନ୍ଦୋଳନକୁ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ମଦ ବିରୋଧୀ ଅଭିଯାନ ଏକ ସ୍ୱାଗତଯୋଗ୍ୟ ସାମାଜିକ ପଦକ୍ଷେପ ବୋଲି ମତ ଦେଇ ସେ ମହିଳା ଗୋଷ୍ଠୀଗୁଡ଼ିକୁ ଏହି ଅଭିଯାନ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି। ଏଥିସହ ଏହି ଉଦ୍ୟମକୁ ସଫଳ କରିବା ପାଇଁ ରାଜ୍ୟ ସରକାର ଓ ଅବକାରୀ ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ପାର୍ବଣ ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ବେଆଇନ ମଦ କାରବାର ନିୟନ୍ତ୍ରଣ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

Comments (0)
Add Comment