ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି ଡଃ ସତ୍ୟଜିତ ନାୟକ ।

କଟକ, ୧୯/୧୦(ପିପିଟି): ଦୁର୍ଗାପୂଜା ଅବସରରେ ଶାନ୍ତିଶୃଙ୍ଖଳା ଓ ଜନସୁରକ୍ଷାକୁ ଗୁରୁତ୍ୱ ଦେଇ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ଡଃ ସତ୍ୟଜିତ ନାୟକ ବିଭିନ୍ନ ପୂଜାମଣ୍ଡପ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। କୋଲକାତାରେ ଘଟିଥିବା ଦୁଃଖଦ ଦଳାଚକଟା ଘଟଣା ପରିପ୍ରେକ୍ଷୀରେ ପୂଜାମଣ୍ଡପଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ, ପୁଲିସ ମୁତୟନ, ଟ୍ରାଫିକ୍ ପରିଚାଳନା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମା’ ଦୁର୍ଗାଙ୍କ ଦର୍ଶନ କରିବା ସହ ଡଃ ନାୟକ ଓଡ଼ିଶାବାସୀଙ୍କୁ ପାର୍ବଣର ଶୁଭେଚ୍ଛା ଜଣାଇଛନ୍ତି।

ଅକ୍ଟୋବର ୧୮ ତାରିଖରେ ଆଇଜି ଡଃ ନାୟକ କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଜିଲ୍ଲାର ଏସ୍ପିମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ବୈଠକ କରି ଦୁର୍ଗାପୂଜା ସୁରକ୍ଷା, ପୁଲିସ ବଳ ମୁତୟନ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଥିଲେ। କେନ୍ଦ୍ରାଞ୍ଚଳ ଅଧୀନ ବିଭିନ୍ନ ଜିଲ୍ଲାର ୧,୨୪୩ଟି ପୂଜାମଣ୍ଡପରେ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବାବେଳେ ମା’ ଶାରଳା, ମା’ ଚର୍ଚ୍ଚିକା, ମା’ ଭଟ୍ଟାରିକା ଓ ମା’ ସିର୍ଲୋଙ୍କ ପରି ପ୍ରମୁଖ ଶକ୍ତିପୀଠରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଶାନ୍ତିଶୃଙ୍ଖଳା ରକ୍ଷା ଓ ଭକ୍ତଙ୍କ ସୁରକ୍ଷା ପାଇଁ ୩୬ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି।
ବୈଠକରେ ପୂଜାମଣ୍ଡପ ଓ ରାବଣପୋଡ଼ି ସ୍ଥଳରେ ପ୍ରବେଶ ଓ ପ୍ରସ୍ଥାନ ପଥ ସ୍ପଷ୍ଟ ରଖିବା, ଭିଡ଼ ନିୟନ୍ତ୍ରଣ, ଯାନବାହନ ଚଳାଚଳ ସୁଗମ କରିବା, ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା, ଅଗ୍ନିନିରାପତ୍ତା ଓ ଗୁରୁତ୍ୱପୂର୍ଣ୍ଣ ପୂଜାମଣ୍ଡପରେ ସିସିଟିଭି ନଜରଦାରି ସୁନିଶ୍ଚିତ କରିବାକୁ ଆଇଜି ଜିଲ୍ଲା ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୀନାବଜାର, ରାବଣପୋଡ଼ି ଓ ରାମଦୋଳି କାର୍ଯ୍ୟକ୍ରମରେ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ସେଠାରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଓ ନିୟମିତ ନଜରଦାରି ଉପରେ ଗୁରୁତ୍ୱ ଦିଆଯାଇଛି। ଭିଡ଼ ବଢ଼ିବା, ଠେଲାପେଲା କିମ୍ବା ଯାତାୟାତରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଲେ ତୁରନ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପୁଲିସକୁ କୁହାଯାଇଛି।
ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଆମ୍ବୁଲାନ୍ସ, ଚିକିତ୍ସା ସହାୟତା, ଅଗ୍ନିଶମ ସେବା ଓ ଜରୁରୀକାଳୀନ ସ୍ଥାନାନ୍ତରଣ ପଥ ପ୍ରସ୍ତୁତ ରଖିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ନିଜ ନିଜ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନିଜେ ଯାଞ୍ଚ କରିବା ସହ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ସେବା, ପୂଜା କମିଟି ଓ ସ୍ୱେଚ୍ଛାସେବୀଙ୍କ ସହ ସମନ୍ୱୟ ରକ୍ଷା କରିବେ। ଦୁର୍ଗାପୂଜା ଭସାଣି ଶେଷ ହେବା ପର୍ଯ୍ୟନ୍ତ ପ୍ରତି ଦୁଇ ଘଣ୍ଟାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଜିଲ୍ଲା ଏସ୍ପିମାନଙ୍କୁ କୁହାଯାଇଛି।

ଡଃ ନାୟକ ପୂଜା କମିଟି, ଶ୍ରଦ୍ଧାଳୁ ଓ ସାଧାରଣ ଲୋକଙ୍କୁ ପୁଲିସକୁ ସହଯୋଗ କରିବା, ନିର୍ଦ୍ଧାରିତ ରାସ୍ତାରେ ଯାତାୟାତ କରିବା ଏବଂ ଗୁଜବ କିମ୍ବା ଅପ୍ରମାଣିତ ତଥ୍ୟ ସୋସିଆଲ ମିଡିଆରେ ପ୍ରସାର ନକରିବାକୁ ଅନୁରୋଧ କରିଛନ୍ତି। ମଦ୍ୟପାନ କରି ଗାଡ଼ି ଚଳାଇବାରୁ ଦୂରେଇ ରହିବା ସହ ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ସୁରକ୍ଷା ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜନସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା ବୋଲି ଦୋହରାଇ କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଓ ସୁରକ୍ଷିତ ଦୁର୍ଗାପୂଜା ଆୟୋଜନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ଶେଷରେ ଡଃ ନାୟକ ମା’ ଦୁର୍ଗାଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି, ସମୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛନ୍ତି।

Comments (0)
Add Comment