ଦଶହରା ବଜାରରେ ଫୁଲର ଚାହିଦା ବୃଦ୍ଧି ।

ବ୍ରହ୍ମପୁର, ୧୯/୧୦(ପିପିଟି ):ଶାରଦୀୟ ଦୁର୍ଗାପୂଜା ଓ ଦଶହରାକୁ ନେଇ ବ୍ରହ୍ମପୁର ସହରରେ ଉତ୍ସବର ମାହୋଲ ଜମିଥିବାବେଳେ ଫୁଲ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ମଣ୍ଡପ, ମନ୍ଦିର, ଘର, ଦୋକାନ ଓ କାର୍ଯ୍ୟାଳୟ ସଜାଇବା ସହ ଗାଡ଼ି ପୂଜା ପାଇଁ ଗେଣ୍ଡୁ ଫୁଲର ଚାହିଦା ବଢ଼ିଛି। ବଜାରରେ ଗେଣ୍ଡୁ ମାଳ ପ୍ରତି ୩୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ମନ୍ଦାର, ଟଗର, ପଦ୍ମ, କଇଁ ଓ କନିଅର ଭଳି ପୂଜା ଫୁଲର ଚାହିଦା ଅଧିକ ରହିଥିଲେ ମଧ୍ୟ ଯୋଗାଣ କମ୍ ଥିବାରୁ ଅନେକ ସ୍ଥାନରେ ଏହାର ଅଭାବ ଦେଖାଦେଇଛି। ସହର ଉପକଣ୍ଠ ଗ୍ରାମାଞ୍ଚଳରୁ ମହିଳାମାନେ ବିଭିନ୍ନ ପ୍ରକାର ଫୁଲ ଆଣି ବଡ଼ବଜାର, ଗିରି ମାର୍କେଟ, କମାପଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି। ବଡ଼ବଜାର, ସାନବଜାର, ବାଲୁଙ୍କେଶ୍ୱର ମନ୍ଦିର ଛକ, ବିଜିପୁର, ଏସ୍ଏନ୍ଟି ରୋଡ୍, ପ୍ରେମନଗର, କମାପଲ୍ଲୀ ଛକ ଓ ଗୋସାଇଁନୂଆଗାଁ ଅଞ୍ଚଳରେ ଫୁଲ ବ୍ୟବସାୟ ଜୋର୍ ଧରିଛି। ସେହିପରି ଗେଣ୍ଡୁ, ଗୋଲାପ ଓ ରଜନୀଗନ୍ଧା ଭଳି ଫୁଲ କିଣିବା ପାଇଁ ପୁରୁଣା ବସ୍ଷ୍ଟାଣ୍ଡ, ସୁବାରାଓ ଛକ ଓ ଟାଟାବେଞ୍ଜ ଛକ ଅଞ୍ଚଳରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ବ୍ରହ୍ମପୁର ପୁଷ୍ପ ବ୍ୟବସାୟୀ ସଂଘର ସଭାପତି ମନୋଜ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ରବିବାର ସୁଦ୍ଧା ବିଭିନ୍ନ ସ୍ଥାନରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ଫୁଲ ବ୍ରହ୍ମପୁର ବଜାରକୁ ଆସିଛି। ଆଗାମୀ ଦୁଇ ଦିନ ମଧ୍ୟରେ ଆଉ ୫ ଲକ୍ଷ ଟଙ୍କାରୁ ଅଧିକ ଫୁଲ ଆସିବାର ଆଶା ରହିଛି। ପଶ୍ଚିମବଙ୍ଗର କୋଲକାତା ନିକଟ ରାଣାଘାଟରୁ ସର୍ବାଧିକ ଗେଣ୍ଡୁ ଫୁଲ ଆସୁଥିବାବେଳେ ବେଙ୍ଗାଲୁରୁରୁ ଗେଣ୍ଡୁ, ଗୋଲାପ, ଜର୍ବେରା ଓ ଅର୍କିଡ୍ ଆସୁଛି। ଆନ୍ଧ୍ରପ୍ରଦେଶରୁ ରଜନୀଗନ୍ଧା, ସେବତୀ, ଇତିମାଳା ଓ ଜୁଇ ଫୁଲ ଆମଦାନି କରାଯାଉଛି। ପର୍ବକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ ଆଗୁଆ ଅର୍ଡର ଦେଇଥିବା ସେ କହିଛନ୍ତି। ଗତବର୍ଷ ବର୍ଷା ଯୋଗୁଁ ଫୁଲ ନଷ୍ଟ ହେବା ସହ ବ୍ୟବସାୟ ପ୍ରଭାବିତ ହୋଇଥିଲା। ତେବେ ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ତଥାପି ବଜାରରେ ପ୍ଲାଷ୍ଟିକ ଫୁଲର ବ୍ୟବହାର ବଢ଼ିବା ଯୋଗୁଁ ପ୍ରାକୃତିକ ଫୁଲ ବ୍ୟବସାୟ କିଛି ମାତ୍ରାରେ ପ୍ରଭାବିତ ହେଉଥିବା ସଂଘ ସଭାପତି କହିଛନ୍ତି।

Comments (0)
Add Comment