ଡିସେମ୍ବର ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମ୍ପୂର୍ଣ୍ଣ ଲକ୍ଷ୍ୟ ।

ନୟାଗଡ଼,୦୫/୧୦(ପିପିଟି ): ଦୀର୍ଘ ତିନି ଦଶନ୍ଧିର ପ୍ରତୀକ୍ଷାର ଅନ୍ତ ଘଟାଇ ବହୁପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପକୁ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଜୋରଦାର ଭାବେ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରକଳ୍ପର ବିଭିନ୍ନ ଅଂଶରେ ଏବେ ଇଞ୍ଜିନିୟର ଓ ଶ୍ରମିକମାନେ ଦିନରାତି କାମରେ ନିୟୋଜିତ ଅଛନ୍ତି।
ପୁରୁଣାକଟକ ଓ ଦଶପଲ୍ଲା ମଧ୍ୟବର୍ତ୍ତୀ ଅଞ୍ଚଳରେ ଭାୟାଡକ୍ଟ, ସୁଡ଼ଙ୍ଗ ଓ ରେଳପଥ ନିର୍ମାଣ ସହ ଲାଇନ୍ ଲିଙ୍କିଂ, ଷ୍ଟେସନ୍ ଏବଂ ସିଗ୍ନାଲିଂ କାମ ଦ୍ରୁତଗତିରେ ଚାଲିଛି। ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଡିସେମ୍ବର ସମୟସୀମା ମଧ୍ୟରେ ଅବଶିଷ୍ଟ କାମ ସାରିବା ଉପରେ ରେଳ ବିଭାଗ ଗୁରୁତ୍ୱ ଦେଇଛି।
ବୁଗୁଡ଼ା-ବାଣୀଗୋଛା ମଧ୍ୟରେ ନିର୍ମିତ ପ୍ରାୟ ୪.୭୭ କିମି ଲମ୍ବର ଭାୟାଡକ୍ଟ ଏହି ପ୍ରକଳ୍ପର ଅନ୍ୟତମ ପ୍ରମୁଖ ଆକର୍ଷଣ। ଏହାକୁ ଦେଶର ଦ୍ୱିତୀୟ ସର୍ବବୃହତ ଭାୟାଡକ୍ଟ ଭାବେ ବର୍ଣ୍ଣନା କରାଯାଉଛି। ଭାୟାଡକ୍ଟର ସ୍ପାନ୍ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଏବେ ବିଦ୍ୟୁତୀକରଣ ସମେତ ଅନ୍ୟାନ୍ୟ କାମ ଚାଲିଛି। ସେହିପରି ମୋଟ ୧୨.୭୬ କିମି ଲମ୍ବର ସାତଟି ସୁଡ଼ଙ୍ଗ ମଧ୍ୟରୁ ଅଧିକାଂଶର କାମ ଶେଷ ହୋଇଛି।
୩୦୧ କିମି ଲମ୍ବର ସମଗ୍ର ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ଆଉ ପ୍ରାୟ ୭୫ କିମି ରେଳପଥ ନିର୍ମାଣ ବାକି ରହିଛି। ପ୍ରକଳ୍ପର ଅଗ୍ରଗତି ଉପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଭାଗୀୟ ଉଚ୍ଚ ଅଧିକାରୀମାନେ ନିୟମିତ ନଜର ରଖୁଥିବା ଜଣାପଡ଼ିଛି।
ପୂର୍ବ ଓଡ଼ିଶା ଓ ରାଜଧାନୀ ଅଞ୍ଚଳକୁ ପଶ୍ଚିମ ଓଡ଼ିଶା ସହ ରେଳପଥରେ ସଂଯୋଗ କରିବା ଉଦ୍ଦେଶ୍ୟରେ ୧୯୯୪-୯୫ରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ୨୦୦୧ରେ ସିଭିଲ୍ କାମ ଆରମ୍ଭ ହୋଇଥିବା ବେଳେ ୨୦୧୪ରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ଖୋର୍ଦ୍ଧା ରୋଡ୍ ପାର୍ଶ୍ୱରୁ ପ୍ରଥମେ ରେଳପଥ ନିର୍ମାଣ ଆରମ୍ଭ ହୋଇ ପର୍ଯ୍ୟାୟକ୍ରମେ ନୟାଗଡ଼ ଓ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ସମ୍ଭବ ହୋଇଥିଲା।
୨୦୨୪ ଜାନୁଆରୀରେ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ପାର୍ଶ୍ୱରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ମଧ୍ୟ ରେଳପଥ କାର୍ଯ୍ୟକ୍ଷମ ହୋଇଛି। ୨୦୨୫ ଜୁନ୍ରେ ସୁବର୍ଣ୍ଣପୁର-ପୁରୁଣାକଟକ ମଧ୍ୟରେ ରେଳ ଚଳାଚଳ ଆରମ୍ଭ ହୋଇଥିଲା। ଏବେ ପୁରୁଣାକଟକ ଓ ଦଶପଲ୍ଲା ମଧ୍ୟରେ ଥିବା ଅବଶିଷ୍ଟ କାମ ଶେଷ କରି ସମଗ୍ର ପ୍ରକଳ୍ପକୁ ଯୋଡ଼ିବା ରେଳ ବିଭାଗର ପ୍ରମୁଖ ଲକ୍ଷ୍ୟ।
୨୦୨୬ ଅଗଷ୍ଟରେ ବିଶାଳ ଭାୟାଡକ୍ଟର ନିର୍ମାଣ ଶେଷ ହୋଇଥିବାରୁ ପ୍ରକଳ୍ପ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଡିସେମ୍ବର ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ପୂର୍ବ ଓ ପଶ୍ଚିମ ଅଞ୍ଚଳ ମଧ୍ୟରେ ରେଳ ଯୋଗାଯୋଗ ଆହୁରି ସୁଦୃଢ଼ ହେବା ସହ ଯାତ୍ରୀ ଓ ବାଣିଜ୍ୟିକ ପରିବହନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ହେବ।

Comments (0)
Add Comment