ଡମ୍ବରୁର ଶବ୍ଦ ଆଉ ନାହିଁ, ଲୁପ୍ତ ହେବା ପଥରେ ସାପୁଆ କେଳା ।

ବୋଲଗଡ଼,୨୨/୦୮(ପିପିଟି) ସାପୁଆ କେଳା ହେଉଛନ୍ତି ଓଡ଼ିଶାର ପାରମ୍ପରିକ ଜାତିର ଲୋକ। ଯେଉଁମାନେ ବିଷବିହୀନ ସାପ ମାନଙ୍କୁ ଧରି ଗାଁ ଗାଁ ବୁଲି ସାପ ଖେଳ ଦେଖାଇ ନିଜର ଜୀବିକା ଅର୍ଜନ କରିଥାନ୍ତି। ଯାହାକି ସେତେବେଳେ ଓଡ଼ିଶାର ପୁରାତନ ଲୋକ ସଂସ୍କୃତିର ଓ ପରମ୍ପରାର ଅଭିନ୍ନ ଅଙ୍ଗ ଥିଲା। ବିଭିନ୍ନ ପର୍ବ ପର୍ବାଣୀ ଓ ନାଗ ପଞ୍ଚମୀ ରେ ଦେଖା ମିଳିଥାଏ। ବିଶେଷ କରି ଗ୍ରୀଷ୍ମ ଛୁଟିର ଉଦୁଉଦିଆ ଖରା। ଅପରାହ୍ନରେ ହଠାତ୍ ଗାଁ ମୁଣ୍ଡରୁ ଭାସି ଆସୁଥିଲା ଡମ୍ବରୁର ଡିବ୍ ଡିବ୍ ଶବ୍ଦ। ବୟସ୍କ ହୁଅନ୍ତୁ ବା ପିଲା, ସମସ୍ତେ ଧାଇଁ ଯାଉଥିଲେ ସେଇ ଗୋଟିଏ ଜାଗାକୁ। ଯେଉଁଠି ବସିଥାନ୍ତି ସାପୁଆ କେଳା। ତାଙ୍କ ହାତରେ ଥିବା ନିଜ ପେଡିରୁ ଗୋଟେ ଗୋଟେ କରି ବାହାରେ ଜଥା, ଧଣ୍ଡ, ଢାମଣା, ରଣା, ବୋଡା, କୋଳଥିଆ ନାଗ। ସବୁଠୁ ଶେଷରେ ବାହାରେ ଗୋଖର ନାଗ। ଗୋଟିଏ ହାତରେ ଡମ୍ବରୁ ଆଉ ଅନ୍ୟ ହାତରେ ତାଳ ଦେଇ ପାଟିରେ ପଦ୍ମତୋଳା ଗାଉଥାନ୍ତି। ଦେଖଣାହାରି ମାନେ ମନ୍ତ୍ରମୁଗ୍ଧ ହୋଇ ଦେଖନ୍ତି। ଖେଳ ସରିବା ପରେ ଆରମ୍ଭ ହୁଏ ତାଙ୍କର ମୁଖ୍ୟ ବ୍ୟବସାୟ – ଡଉଁରିଆ ବିକିବା। ସେ କହନ୍ତି, ଏଇ ଡଉଁରିଆ ଘରେ ରଖିଲେ ଅଶାନ୍ତି ଯାଏ, ପିଲାଙ୍କ ପାଠ ମନେ ରହେ। ତାଙ୍କ କଥାରେ ବିଶ୍ୱାସ କରି ଲୋକେ ମୁଠାଏ ଚାଉଳ ଓ ଖୁଚୁରା ପଇସା ଦେଇ ଡଉଁରିଆ ନିଅନ୍ତି। କିନ୍ତୁ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନ୍ ଆସିବା ପରେ ସାପ ଧରିବା ଉପରେ କଟକଣା ଲାଗିଲା। ଫଳରେ ଆଜି ସେଇ ଡମ୍ବରୁର ଶବ୍ଦ ଆଉ ଶୁଣାଯାଉନି। ଏଇଟା ଏବେ କେବଳ ଆମ ପିଲାବେଳର ସ୍ମୃତି ହୋଇ ରହିଗଲା। ଏଇଟା କୌଣସି ବ୍ୟକ୍ତି ବା ଜାତିକୁ ଆକ୍ଷେପ କରୁନାହିଁ। ଏଇଟା ଆମ ଓଡ଼ିଶାର ଗାଁର ସାମୂହିକ ସ୍ମୃତି ଓ ଲୋକ ସଂସ୍କୃତିର ଗୋଟିଏ ଅଂଶ। ଆଜି ମୋବାଇଲ ଯୁଗରେ ପିଲାମାନେ ଏଇ ମଜା ଜାଣି ନପାରନ୍ତି, କିନ୍ତୁ ଆମ ପରମ୍ପରାର ଗୋଟେ ଅଧ୍ୟାୟ ଅତ୍ୟୁକ୍ତି ହେବନାହିଁ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Comments (0)
Add Comment