ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ଜନଗର୍ଜନ ।

ମାଲକାନଗିରି,୧୪/୦୯(ପିପିଟି) :ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ଗର୍ଜନ କରିଛନ୍ତି। ଶୁକ୍ରବାର ସକାଳେ ଜିଲ୍ଲାର କୋଣ ଅନୁକୋଣରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ସ୍ଥାନୀୟ ମାଲକାନଗିରି ବସଷ୍ଟାଣ୍ଡ ନିକଟରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଏକାଠି ହୋଇ ଥିଲେ। ବିଶାଳ ଶୋଭାଯାତ୍ରାରେ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ଦାବିକୁ ନେଇ ଜନ ଗର୍ଜିନ କରି ପ୍ରତିବାଦ ଜଣାଇଥିଲେ । ସେଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିଛି ସମୟ ଧରି ଘେରାଉ କରିବା ସହ ଧାରଣା ପ୍ରଦର୍ଶନ କରିଥିଲେ। ପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଥିବା ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।
ଏଥିରେ ଉଲ୍ଲେଖ କରାଯାଇଛି ଯେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଓ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରୋତ୍ସାହନ ପାଇଁ ଆବଶ୍ୟକ ଅଟେ। ଅନୁସୂଚିତ ଅଂଚଳରେ ସ୍ବୟଂ ଶାସନ ତଥା ଆଦିବାସୀ ସଂପ୍ରଦାୟର ଅଧିକାରର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପେଶା ଆଇନ ୧୯୯୬ ପ୍ରଣୟନ କରାଯାଇଛି। ଓଡ଼ିଶା ସରକାର ତୁରନ୍ତ ଏହି ପେଶା ଆଇନକୁ ଲାଗୁ କରିବାକୁ ଦାବି ହୋଇଥିଲା।ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାରକୁ ସ୍ବୀକୃତି ଓ ସାବ୍ୟସ୍ତ କରିବା ଅନୁସୂଚିତ ଜନଜାତିମାନଙ୍କର ସୁରକ୍ଷା ତଥା ପ୍ରୋତ୍ସାହନ ପାଇଁ ଆବଶ୍ୟକ ଅଟେ।ସେହିପରି ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ପାଇଁ ଜମି ଓ ଜୀବିକା ନିର୍ବାହ ବିସ୍ଥାପିତ ଆଦିବାସୀଙ୍କୁ ଜମି ଅଧିକାର ଓ ପଟ୍ଟା ପ୍ରଦାନ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଉ। ପୋଲାଭରମ ଡ୍ୟାମ ନିର୍ମାଣ ଯୋଗୁଁ ମାଲକାନଗିରି ଜିଲ୍ଲାର ପଡ଼ିଆ ଓ ମୋଟୁ ଅଞ୍ଚଳରେ ବାସ କରୁଥିବା ଆଦିବାସୀମାନଙ୍କ ପାଇଁ ଏହା ଏକ ବଡ ବିପଦ ଅଟେ। ପୋଲାଭରମ ଡ୍ୟାମର ଉଚ୍ଚତା ବଢାଇବା କାର୍ଯ୍ୟକୁ ଆମେ ଘୋର ବିରୋଧ କରୁଛୁ। ଏହା ବଢାଇବା ଦ୍ବାରା ପଡିଆ, ମୋଟୁ ଓ ମାଥିଲିର କିଛି ଅଞ୍ଚଳ ଜଳମଗ୍ନ ହେବ। ଯଦ୍ବାରା ଆଦିବାସୀମାନେ ବିସ୍ଥାପିତ ହେବା ସହିତ ଜୀବିକା ମଧ୍ୟ କ୍ଷୁର୍ଣ୍ଣ ହେବେ। ତେଣୁ ଏହାକୁ ଆମେ ବିରୋଧ କରିବା ସହ ଆମର ଜଙ୍ଗଲ, ଜମି ଓ ଜନବସତି ଜଳମଗ୍ନ ହେବା ପାଇଁ ଦେବୁ ନାହିଁ। ଆମେ ଆଦିବାସୀ ସମାଜ ବାରମ୍ବାର ଓଡିଶା ସରକାର ଓ ପ୍ରଶାସନକୁ ଜଣାଇବା ସତ୍ବେ ମଧ୍ୟ ଉପରୋକ୍ତ ଦାବିଗୁଡିକର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପେଶା, ଏଫଆରସି, ପଞ୍ଚମ ଅନୁସୂଚୀର ପ୍ରାବଧାନ ସତ୍ବେ ମଧ୍ୟ ପ୍ରଶାସନ ଦ୍ବାରା ଅଣଦେଖା କରାଯାଉଛି ବୋଲି ଆଦିବାସୀ ସଂଘ ଅଭିଯୋଗ କରିଛି। ସମାଜ ପକ୍ଷରୁ ୩ଟି ଆଇନକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯିବା ସହ ଯଦି ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସମାବେଶରେ ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡକାମି, ପୂର୍ବତନ ସଏଡିସି ଅଧ୍ୟକ୍ଷ ଆଡମା ରାବା,ମାଲା ମାଢି, ଉପଦେଷ୍ଟା ସରତ ଚନ୍ଦ୍ର ବୁରୁଦା, ଘନଶ୍ୟାମ ମାଡକାମି,ଘେନୁ ମୁଦୁଲି,କାମରାଜ କବାସି, ଜାରାଶବର ମାଡି, ବନ୍ଧୁ ମୁଦୁଲି ପ୍ରମୁଖ ନେତୃତ୍ୱ ନେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Comments (0)
Add Comment