ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି;୧୧୬ଟି ଅଭିଯୋଗ ଗ୍ରହଣ, ୨୦ଟିର ତତ୍କାଳ ସମାଧାନ ।

ବ୍ରହ୍ମପୁର,୨୮/୦୯(ପିପିଟି): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆଜି ଚିକିଟି ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଶିବିରରେ ମୋଟ ୧୧୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୧୦୧ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଥିଲା। ଏଥିସହ ରେଡକ୍ରସ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା । ଶିବିରରେ ୨୦ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।

ଅଭିଯୋଗ ଶୁଣାଣି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା । ମହାକାଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିହନ ଅର୍ଥ ଓ ଆବର୍ତ୍ତୀ ପାଣ୍ଠି ବାବଦରେ ୨୫,୦୦୦ ଟଙ୍କା, ୬ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ, ୧୦ ଜଣଙ୍କୁ ରାସନ କାର୍ଡ ଏବଂ ୩ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା ।

ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୩ ଜଣଙ୍କୁ ଲକ୍ଷପତି ଦିଦି ଋଣ ମଞ୍ଜୁର କରାଯାଇଥିଲା । ମତ୍ସ୍ୟ ବିଭାଗ ପକ୍ଷରୁ ଜଣେ ହିତାଧିକାରୀଙ୍କୁ ବାୟୋଫ୍ଲକ୍ ଏବଂ ଜଣେ ହିତାଧିକାରୀଙ୍କୁ ମତ୍ସ୍ୟ ପୋଖରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା । ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜୀବିକାଭିତ୍ତିକ ଯୋଜନାରେ ୨ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆମ୍ବ ଚାଷ ପାଇଁ ୨ ଜଣ ହିତାଧିକାରୀଙ୍କୁ ସବ୍‌ସିଡି ପ୍ରଦାନ କରାଯାଇଥିଲା ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଭିବି-ଜି ରାମ ଜି ଯୋଜନା ଅଧୀନରେ ୩ ଜଣଙ୍କୁ ନୂତନ ଜବ୍‌ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪ ଜଣ ହିତାଧିକାରୀଙ୍କୁ ନୂତନ ପେନ୍‌ସନ ପ୍ରଦାନ କରାଯାଇଥିଲା। ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସକୁ ୫ଟି ଆରଓଆର ଏବଂ ରାଜସ୍ୱ ବିଭାଗ ପକ୍ଷରୁ ୧ଟି ଗ୍ରାମକଣ୍ଠ ଆରଓଆର ପ୍ରଦାନ କରାଯାଇଥିଲା ।

ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ସମୟବଦ୍ଧ ସମାଧାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ବ୍ରହ୍ମପୁର ଡିଏଫଓ ସୋନ୍ନି ଖୋଖର, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ସ୍ଥାନୀୟ ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Comments (0)
Add Comment