ବୋଲଗଡ଼,୧୯/୦୯ (ପିପିଟି):ଧାନ କ୍ଷେତରେ ପବନରେ ଦୋହଲୁଥିଲା ସୁନେଲି ସ୍ୱପ୍ନ। ଚାଷୀ ଭାବିଥିଲା ଏ ଥର ଭଲ ଅମଳ ହେଲେ ପିଲାର ସ୍କୁଲ ଫି, ଘରର ଋଣ ଶୁଝିବ। ହେଲେ ସେ ସ୍ୱପ୍ନ ଏବେ ଗୋରୁ ମୁହଁରେ। ବୋଲଗଡ଼ ବ୍ଲକର ପ୍ରତି ପଞ୍ଚାୟତରେ ଏବେ ଗୋଟିଏ ଦୃଶ୍ୟ – ରାତି ଅଧରେ ଟର୍ଚ ଧରି କ୍ଷେତ ଜଗୁଆଳି ହୋଇଛି ଚାଷୀ, ଆଉ ଦିନ ସାରା ମୁଣ୍ଡରେ ହାତ ଦେଇ ବସିଛି। କାରଣଟି ହେଲା ବୁଲା ଗାଈ ଗୋରୁ ଆଉ ଷଣ୍ଢଙ୍କ ଦୌରାତ୍ମ୍ୟ। ଧାନ ଫସଲ ସହ ଏବେ ହୁଡ଼ାରେ ଲାଗିଥିବା ବିରି ଫସଲ ବି ଚରି ଯାଉଛନ୍ତି। ରାତି ହେଲେ ଦଳ ଦଳ ହୋଇ ବହୁ ଗାଈ ଗୋରୁ ଜମିରେ ପଶି ଯାଉଛନ୍ତି। କେଉଁଠି ଧାନ ଗଛ ଖାଇ ଦେଉଛନ୍ତି, କେଉଁଠି ଦଳି ମାଡ଼ି ଫସଲକୁ ମାଟିରେ ମିଶାଇ ଦେଉଛନ୍ତି। ଜଣେ ଚାଷୀର କାନ୍ଦ ଭରାରେ କହିଛନ୍ତି ସାର ବିହନ ପାଇଁ ସୁଧ ଟଙ୍କାରେ ୧୦ ହଜାର ଆଣିଥିଲି, ଏବେ ସବୁ ଗୋରୁ ପେଟରେ। ଆମେ କ’ଣ ଖାଇବୁ?ସବୁଠୁ ଦୁଃଖର କଥା ଅନେକ ମାଲିକ ନିଜ ଗାଈ ଗୋରୁଙ୍କୁ ଇଚ୍ଛା କରି ରାସ୍ତାରେ ଛାଡି ଦେଇଛନ୍ତି। ସେମାନେ ରାସ୍ତା, ବଜାର ଆଉ ଚାଷ ଜମିରେ ବୁଲୁଛନ୍ତି। କେତେକ ଷଣ୍ଢ ଏତେ ଆକ୍ରମଣାତ୍ମକ ଯେ ଚାଷୀ, ଛୋଟ ପିଲା ଏକା ଜମିକୁ ଯିବାକୁ ଡରୁଛନ୍ତି। ଚାଷୀର ପ୍ରଶ୍ନ ଆମ ପରିଶ୍ରମର ମୂଲ୍ୟ କିଏ ଦେବ ? ବ୍ଲକ ପ୍ରଶାସନ, ପଞ୍ଚାୟତ ସବୁ ଦେଖି ମଧ୍ୟ ଚୁପ୍। କୌଣସି ଗୋଶାଳା ବ୍ୟବସ୍ଥା ନାହିଁ, କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ।
ଏହି ଅନ୍ନଦାତାଙ୍କ ଆକୁଳ ନିବେଦନ ତୁରନ୍ତ ବୁଲା ଗୋରୁଙ୍କୁ ଧରି ଗୋଶାଳାକୁ ନିଆଯାଉ, ଫସଲ ସୁରକ୍ଷା ପାଇଁ ପ୍ରଶାସନ ଜାଗ୍ରତ ହେଉ। ନଚେତ୍ ଆଉ କିଛି ଦିନ ପରେ କ୍ଷେତରେ ଧାନ ନୁହେଁ, କେବଳ ଚାଷୀର ଲୁହ ରହିବ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।