ଖଣି ଅଞ୍ଚଳରେ ୧୬୩ ଧାରା ଜାରି ।

ଯାଜପୁର,୧୪/୦୭(ପିପିଟି):ବିରୋଧୀ ଦଳର ଆନ୍ଦୋଳନ ଡାକରାକୁ ଭୟ କରି କାଳିଆ ପାଣି ଖଣି ଅଞ୍ଚଳରେ ୧୬୩ ଧାରା (୧୪୪ଧାରା) ଲାଗୁ ହୋଇଥିବାର ଚର୍ଚ୍ଚା ହେଉଛି । ଗତ କାଲି ୧୨ ତାରିଖ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଆଦେଶ ଏହି ଚର୍ଚ୍ଚାକୁ ପୃଷ୍ଟି କରୁଛି । ଗତ କାଲି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଆଦେଶ ସଂଖ୍ୟା ୩୨୫୫/ତା ୧୨/୦୭/୨୬ ଅନୁସାରେ ଆସନ୍ତା ୧୩ ତାରିଖରୁ କିଛି ରାଜନୈତିକ ଦଳ ଓ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୂର ସଂଘ ଦ୍ୱାରା ଖଣି ଅଞ୍ଚଳରେ ଆନ୍ଦୋଳନ ଡାକରା ଦିଆ ଯାଇଥିବାରୁ ଖଣି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଧନ ଜୀବନ ହାନି ଓ ସାଧାରଣ ଜନତାଙ୍କ ସ୍ବାର୍ଥ ହାନି ହେବାର ଆଶଙ୍କା ଦେଖା ଦେଇଛି । ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି, ଲୋକଙ୍କ ଧନ ଜୀବନ ଓ ସ୍ବାର୍ଥର ସୁରକ୍ଷା ପାଇଁ କାଳିଆ ପାଣି ପୋଲିସର ଡି.ଆର.ସଂଖ୍ୟା.୧୮୧୩/ତା.୧୨/୦୭/୨୬ କୁ ନଜରରେ ରଖି କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଅପରାଧିକ ମାମଲା ସଂଖ୍ୟା.୩୦/୨୦୨୬ ରେ ଓ ଆଦେଶ ସଂଖ୍ୟା.୩୨୫୫ ରେ କାଳିଆ ପାଣି ଖଣି ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ୧୬୩ ଧାରା ୧୨/୦୭/୨୬ ରିଖ ଠାରୁ ୧୨/୦୮/୨୬ ରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲାଗୁ କରିଛନ୍ତି । ଫଳରେ କୋଳୀ ପଶି ଟ୍ରକ ପାର୍କିଂ ଠାରୁ ସୁକୁରୁଙ୍ଗି ଖଣି ପରିଚାଳକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ,ଦେହୁରୀ ସାହି ଶିବ ମନ୍ଦିର ଅଞ୍ଚଳ,ସାଉଥ କାଳିଆ ପାଣି ଖଣି ୧ ନଂ ଗେଟ ଠାରୁ ହନୁମାନ ବଜାର ଅଞ୍ଚଳ,କାଳିଆ ପାଣି ଟାଉନ ସିପ ଖଣି ପରିଚାଳକଙ୍କ କାର୍ଯ୍ୟାଳୟ ଅଞ୍ଚଳ(ମୁଖ୍ୟ ରାସ୍ତା ଠାରୁ କମ୍ୟୁନିଟି ସେଣ୍ଟର ପଡିଆ ପର୍ଯ୍ୟନ୍ତ) ସହିତ ସମସ୍ତ ସଂଯୋଗ ରାସ୍ତା ଗୁଡ଼ିକରେ ଏହି ଧାରା ମାସକ ପାଇଁ ଲାଗୁ ହେବାର ଆଦେଶ ଜାରି କରିଛନ୍ତି ଏବଂ କାଳିଆ ପାଣି ଥାନା ଅଧିକାରୀ ଡାକବାଜି ଯନ୍ତ୍ର ଯୋଗେ ଏହା ପ୍ରଚାର କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହିତ ଆଇନ ଶୃଙ୍ଖଳା ଭଙ୍ଗକାରୀଙ୍କ ବିରୋଧରେ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଏ ଆଦେଶକୁ ନେଇ ଖଣି ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।

Comments (0)
Add Comment