କ୍ଷମତା ଆସେ ଓ ଯାଏ, ସମ୍ପର୍କ ସବୁବେଳେ ରହିଥାଏ: ପ୍ରଣବ ପ୍ରକାଶ ଦାସ ।

ଯାଜପୁର,୧୭/୦୯(ପିପିଟି): ରାଜନୀତିରେ କ୍ଷମତା ଆସେ ଓ ଯାଏ, କିନ୍ତୁ ବର୍ଷ ବର୍ଷ ଧରି ଗଢ଼ି ଉଠିଥିବା ସମ୍ପର୍କ ଓ ସ୍ନେହ ସହଜରେ ଶେଷ ହୁଏ ନାହିଁ। ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳ ଗସ୍ତ ସମୟରେ ଏଭଳି ମତ ରଖିଛନ୍ତି ବିଜୁ ଜନତା ଦଳ (ବିଜେଡି)ର ଉପସଭାପତି ତଥା ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି)।

କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ନରସିଂହପୁର ପଞ୍ଚାୟତରେ ବରିଷ୍ଠ ଶିଳ୍ପପତି ଶରତ ପାତ୍ରଙ୍କ ନାତିଙ୍କ ଜନ୍ମଦିନ ଉତ୍ସବରେ ଯୋଗଦେବା ପାଇଁ ପ୍ରଣବ ପ୍ରକାଶ ଦାସ ପହଞ୍ଚିଥିଲେ। ଏହି ଅବସରରେ ସେ ଶିଶୁଟିକୁ ଆଶୀର୍ବାଦ କରିବା ସହ ତାହାର ଉଜ୍ଜ୍ୱଳ ଓ ସମୃଦ୍ଧ ଭବିଷ୍ୟତ କାମନା କରିଥିଲେ।

ବବି ଦାସଙ୍କୁ ସ୍ୱାଗତ କରିବା ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ଏକ ବାଇକ୍ ରାଲି ମଧ୍ୟ ଆୟୋଜନ କରାଯାଇଥିଲା। ଆୟୋଜକଙ୍କ ସୂଚନା ଅନୁଯାୟୀ, ରାଲିରେ ବହୁ ସଂଖ୍ୟକ ସମର୍ଥକ ଯୋଗ ଦେଇଥିଲେ।

ଶରତ ପାତ୍ରଙ୍କ ସହ ନିଜର ଦୀର୍ଘଦିନର ସମ୍ପର୍କକୁ ମନେ ପକାଇ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଜଣେ ଦକ୍ଷ ସଂଗଠକ ଏବଂ ପରିବାରର ଜଣେ ଘନିଷ୍ଠ ସଦସ୍ୟ ବୋଲି କହିଥିଲେ। ଆଗାମୀ ଦିନରେ ନରସିଂହପୁର ପଞ୍ଚାୟତ ଆହୁରି ସୁଦୃଢ଼ ହେବ ବୋଲି ମଧ୍ୟ ସେ ଆଶା ପ୍ରକାଶ କରିଥିଲେ।

ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ବବି ଦାସ କହିଥିଲେ, “ରାଜନୀତିରେ କ୍ଷମତା ଆସେ ଓ ଯାଏ। ଏହା ରାଜନୈତିକ ପ୍ରକ୍ରିୟାର ଏକ ଅଂଶ। କିନ୍ତୁ ଥରେ ଗଢ଼ି ଉଠିଥିବା ସମ୍ପର୍କ ସହଜରେ ହଜିଯାଏ ନାହିଁ। ମୁଁ କେବେ କ୍ଷମତା ପଛରେ ଦୌଡ଼ିନାହିଁ, ସବୁବେଳେ ସମ୍ପର୍କକୁ ଗୁରୁତ୍ୱ ଦେଇଛି।”

ରାଜନୈତିକ ପଦପଦବୀ ଅପେକ୍ଷା ଲୋକଙ୍କ ସହ ଗଢ଼ି ଉଠିଥିବା ସ୍ନେହ ଓ ସମ୍ପର୍କ ତାଙ୍କ ପାଇଁ ଅଧିକ ମହତ୍ତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଲୋକଙ୍କ ସହ ଗଢ଼ିଥିବା ଏହି ସମ୍ପର୍କକୁ ସ୍ନେହ ଓ ଆତ୍ମୀୟତା ମାଧ୍ୟମରେ ଆଜି ମଧ୍ୟ ବଜାୟ ରଖିପାରିଥିବାରୁ ସେ ଖୁସି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ଦାସ ପରିବାର ଓ କୋରେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଥିବା ଦୀର୍ଘଦିନର ସମ୍ପର୍କ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ବରିଷ୍ଠ ରାଜନେତା ଅଶୋକ ଦାସଙ୍କର କୋରେଇ ଅଞ୍ଚଳ ସହ ଥିବା ସମ୍ପର୍କକୁ ମନେ ପକାଇ ସମର୍ଥକମାନେ ଏହି ସମ୍ପର୍କ ପ୍ରଣବ ପ୍ରକାଶ ଦାସଙ୍କ ସହ ମଧ୍ୟ ଜାରି ରହିଥିବା କହିଥିଲେ।

ବାଇକ୍ ରାଲି ଏବଂ କାର୍ଯ୍ୟକ୍ରମରେ ଦେଖାଯାଇଥିବା ଜନସମାଗମକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେଡି ସମର୍ଥକମାନେ ଏହି ସମାଗମକୁ ଦାସଙ୍କ ସହ ସେମାନଙ୍କର ଦୀର୍ଘଦିନର ସମ୍ପର୍କର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି।

ଅନ୍ୟପକ୍ଷରେ, କୋରେଇ ବିଧାନସଭା ଅଞ୍ଚଳରେ ବିଭିନ୍ନ ରାଜନୈତିକ ଦଳ ନିଜ ସାଂଗଠନିକ ଉପସ୍ଥିତିକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଣବ ପ୍ରକାଶ ଦାସଙ୍କ ଏହି ଗସ୍ତ ସ୍ଥାନୀୟ ରାଜନୈତିକ ମହଲର ଦୃଷ୍ଟି ଆକର୍ଷଣ କରିଛି।

Comments (0)
Add Comment