କୋରୁକୋଣ୍ଡା ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି ।

ମାଲକାନଗିରି, ୧୭/୦୯(ପିପିଟି):ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ନିର୍ଦ୍ଦେଶ କ୍ରମେ ଆଜି କୋରୁକୋଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି, ମାଲକାନଗିରି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, କୋରୁକୋଣ୍ଡା ବିଡିଓ ଅମୂଲ୍ୟ ମହାପାତ୍ର ଏବଂ ସହକାରୀ ଜିଲ୍ଲାପାଳ ପ୍ରୀତମ ଦେବତା ପ୍ରମୁଖ ମଞ୍ଚାସୀନ ରହି ଜନସାଧାରଣଙ୍କ ସମସ୍ୟା ଶୁଣିଥିଲେ । ଜନସାଧାରଣଙ୍କ ସମସ୍ୟାର ସମୀକ୍ଷା ଏବଂ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ଏହି ଶିବିରରେ ପ୍ରଶାସନର ସମସ୍ତ ବିଭାଗୀୟ ଲାଇନ ଅଧିକାରୀ ଯଥା ରାଜସ୍ୱ, ଯୋଗାଣ, ଗ୍ରାମ୍ୟ ଜଳଯୋଗାଣ, ବିଦ୍ୟୁତ, କୃଷି, ସାମାଜିକ ସୁରକ୍ଷା ଏବଂ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଶିବିରରେ ମୋଟ ୩୩ ଟି ଅଭିଯୋଗ ପତ୍ର ପଞ୍ଜୀକୃତ ହୋଇଥିବା ବେଳେ ସେଥିମଧ୍ୟରୁ ୦୬ ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୭ ଟି ଗ୍ରାମ୍ୟ ଭିତ୍ତିକ ସମସ୍ୟା ରହିଥିଲା । ଏହି ଅବସରରେ ଗ୍ରାମାଞ୍ଚଳର ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ରାସ୍ତାଘାଟ ନିର୍ମାଣ, ବିଦ୍ୟୁତ ସଂଯୋଗୀକରଣ, ସାମାଜିକ ସୁରକ୍ଷା ଭତ୍ତା, ରାସନ କାର୍ଡ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଏବଂ ଜମି ପଟ୍ଟା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଗତ ହୋଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲାପାଳ ସମସ୍ତ ପଞ୍ଜୀକୃତ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏଗୁଡ଼ିକର ତ୍ୱରିତ ଓ ସକାରାତ୍ମକ ସମାଧାନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Comments (0)
Add Comment