କଣ୍ଟାବାଞ୍ଜିରେ ଭାଲୁ ଆତଙ୍କ ।

କଣ୍ଟାବାଞ୍ଜି, ୨୦/୧୦: କଣ୍ଟାବାଞ୍ଜି ଅଞ୍ଚଳରେ ଭାଲୁର ଉପସ୍ଥିତିକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ କିଛି ଦିନ ଧରି ଅଞ୍ଚଳର ବିଭିନ୍ନ ସ୍ଥାନରେ ଭାଲୁ ଦେଖିବାକୁ ମିଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଦୁଇ ଦିନ ପୂର୍ବରୁ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଲୋକଙ୍କ ମଧ୍ୟରେ ଭୟ ଆହୁରି ବଢ଼ିଛି। ରାତି ସମୟରେ କଣ୍ଟାବାଞ୍ଜିର ଏକ ସ୍କୁଲ ନିକଟସ୍ଥ ରାସ୍ତାରେ ଭାଲୁଟି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବିଶେଷକରି ରାତିରେ ଘରୁ ବାହାରିବାକୁ ଲୋକେ ଭୟ କରୁଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଭାଲୁର ସନ୍ଧାନ ପାଇଁ ବଲାଙ୍ଗିରରୁ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କଣ୍ଟାବାଞ୍ଜିରେ ପହଞ୍ଚିଛି। ଟିମ୍ ପକ୍ଷରୁ ରାତିସାରା ବିଭିନ୍ନ ସ୍ଥାନରେ ତଲାସୀ ଅଭିଯାନ ଚାଲିଥିବା ବେଳେ ଡ୍ରୋନ୍ ସହାୟତାରେ ଭାଲୁର ଗତିବିଧି ଠାବ କରିବାକୁ ମଧ୍ୟ ଉଦ୍ୟମ କରାଯାଉଛି। ଅନ୍ୟପକ୍ଷରେ, ସୋସିଆଲ ମିଡିଆରେ ଭାଲୁ ସମ୍ପର୍କିତ ଏଆଇ ଦ୍ୱାରା ପ୍ରସ୍ତୁତ କେତେକ ଫଟୋ ପ୍ରସାରିତ ହେଉଥିବାରୁ ଲୋକଙ୍କ ମଧ୍ୟରେ ଭୟ ସହ ଦ୍ୱନ୍ଦ୍ୱ ମଧ୍ୟ ବଢ଼ୁଛି। ଏଭଳି ସ୍ଥିତିରେ ଅଯାଞ୍ଚିତ ଫଟୋ କିମ୍ବା ଭୁଲ୍ ସୂଚନା ପ୍ରସାର ନକରିବା ଏବଂ ବନ ବିଭାଗର ପରାମର୍ଶ ଓ ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ଭାଲୁର ଉପସ୍ଥିତିକୁ ନେଇ କଣ୍ଟାବାଞ୍ଜି ଅଞ୍ଚଳରେ ଚିନ୍ତା ଲାଗି ରହିଥିବା ବେଳେ ବନ ବିଭାଗର ତଲାସୀ ଅଭିଯାନ ଉପରେ ସ୍ଥାନୀୟ ଲୋକଙ୍କ ନଜର ରହିଛି।

Comments (0)
Add Comment