ବ୍ରହ୍ମପୁର,୨୯/୦୯(ପିପିଟି): ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ-୨୦୨୬ ପାଳନ କରାଯାଉଛି । ବନ୍ୟପ୍ରାଣୀ ସଂରକ୍ଷଣ ପୂର୍ବକ ଜଙ୍ଗଲ ସୁରକ୍ଷା, ବୃଦ୍ଧି ଏବଂ ମଣିଷ ଓ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ଦ୍ୱାରା ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଏପରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବ୍ରହ୍ମପୁର ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ବିରଳ ତଥା ଅବକ୍ଷୟମୁଖୀ ପ୍ରାଣୀ ସହ ବନ୍ୟପ୍ରାଣୀ ସୁରକ୍ଷା ଏବଂ ପୁନଃବସତି ନିର୍ଦ୍ଦେଶାବଳୀ ଅନୁପାଳନ, ମଣିଷ ଏବଂ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷ ଏଡ଼ାଇବାର ସଚେତନତା ଏବଂ ଦାୟିତ୍ୱ ସଂପନ୍ନ ଜନସାଧାରଣଙ୍କ ସହଯୋଗ ସଂପର୍କରେ ଉଲ୍ଲେଖ କରି ଡିଏଫ୍ଓ ସନ୍ନି ଖୋଖର୍ ଏପରି ଏକ ସ୍ପର୍ଶକାତର ବିଷୟରେ ବ୍ୟାପକ ପ୍ରଚାରପ୍ରସାର ସହ ଜନସଚେତନତା ସୃଷ୍ଟି ନିମନ୍ତେ ଉପସ୍ଥିତ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏଥିସହ ସାମ୍ବାଦିକମାନଙ୍କ ଦ୍ୱାରା ବନ୍ୟପ୍ରାଣୀ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକୃତି ପ୍ରେମୀ, ଘରଚଟିଆ ଆଦି ପକ୍ଷୀ ସଂରକ୍ଷକ ତଥା ଗବେଷକ ଏବଂ ବନ୍ୟପ୍ରାଣୀ ସ୍ଵେଚ୍ଛାସେବୀ ଯୋଗଦେଇ ଏ ସଂପର୍କିତ ବିଭିନ୍ନ ସମସ୍ୟା ଉତ୍ଥାପନ କରିବା ସହ ଏହାର ନିରାକରଣ ପାଇଁ ଡିଏଫଓଙ୍କୁ ନିବେଦନ କରିଥିଲେ । ଆଗାମୀ ଦିନରେ ଉପଯୋଗୀ ପରାମର୍ଶଗୁଡିକ କାର୍ଯ୍ୟନ୍ୱୟନ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଡିଏଫ୍ଓ ସୂଚ଼ନା ଦେଇଥିଲେ । ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଜଙ୍ଗଲ ସଂରକ୍ଷଣ,ବନ୍ୟପ୍ରାଣୀ ସୁରକ୍ଷା, ଜୈବ ବିବିଧତା ସଂପର୍କିତ ସଚେତନତା ପ୍ରଦର୍ଶନୀ ଆୟୋଜନ ଦ୍ୱାରା ଭବିଷ୍ୟତ ପିଢ଼ି ନିମନ୍ତେ ଜୀବନଦାୟୀ ପ୍ରାକୃତିକ ସମ୍ବନ୍ଧ ବଜାୟ ରଖିବା, ଏହାକୁ ଜାଣିବା ଏବଂ ଏଥିରେ ପ୍ରତ୍ୟକ୍ଷ ଜନସହଯୋଗ ନିମନ୍ତେ ପ୍ରୟାସ କରାଯାଉଛି । ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ରାଲି ଆୟୋଜନ ପୂର୍ବକ ସଚେତନତା ସହ ଏ ଦିଗରେ ଯୁବକମାନଙ୍କ ଭୂମିକା ପ୍ରତି ଗୁରୁତ୍ଵାରୋପ କରାଯାଉଛି । ଡିଏଫ୍ଓ ଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ଉପଖଣ୍ଡରେ ୯୫ ସଂଖ୍ୟକ କୁମ୍ଭୀର, ୨,୦୫, ୨୯୩ ଅଲିଭ୍ ରିଡ଼ଲେ କଇଁଛ ଗଣ ଅଣ୍ଡାଦାନ ସ୍ଥଳୀ ଏବଂ ୧୦,୬୦୪ ସାମୟିକ ଅଣ୍ଡାଦାନ ସ୍ଥଳୀ, ୨୦୨୫-୨୬ ବନ୍ୟପ୍ରାଣୀ ଗଣନାନୁଯାୟୀ ଅଦ୍ୟାବଧି ୧୪ ଟି ହାତୀ, ୨୮୫୬ ସଂଖ୍ୟକ କୃଷ୍ଣସାର ମୃଗ ଏବଂ ୧୩ଟି ଏରାୱାଡି ଡଲ୍ଫିନ୍ ଅଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଫରେଷ୍ଟ ରେଞ୍ଜ ଅଫିସର ବିମ୍ବାଧର ସାହୁ ଉପସ୍ଥିତ ଥିଲେ ।