ବାରିପଦା, ୦୫/୧୦ : ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ସବ୍-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ଠିକଣାରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି। ବାଲେଶ୍ୱର, ଖୋର୍ଦ୍ଧା ଓ ମୟୂରଭଞ୍ଜ ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏହି ତଲାସୀ ଚାଲିଛି। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ରେ ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।
ସୂଚନା ଅନୁସାରେ, ବାଲେଶ୍ୱର ଅଙ୍ଗାରଗଡ଼ିଆରେ ଥିବା ଶ୍ରୀ ମହାନ୍ତିଙ୍କ ତିନି ମହଲା ବାସଭବନ, ଖୋର୍ଦ୍ଧା ବାଲିଅନ୍ତାରେ ଥିବା ଦୁଇ ମହଲା କୋଠା, ବେତନଟୀସ୍ଥିତ ଏଇଇଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଜଳେଶ୍ୱରସ୍ଥିତ ପୈତୃକ ଘର, ବାଲେଶ୍ୱର ବସନ୍ତପୁରରେ ଥିବା ଫାର୍ମହାଉସ୍ ଏବଂ ବାମପଦାସ୍ଥିତ ଘରେ ତଲାସୀ ଚାଲିଛି। ଏହାଛଡ଼ା ଅଙ୍ଗାରଗଡ଼ିଆରେ ଜଣେ ଘନିଷ୍ଠ ସହଯୋଗୀ, ମୟୂରଭଞ୍ଜର ବୈଶିଙ୍ଗାରେ ଅନ୍ୟ ଜଣେ ସହଯୋଗୀ ଏବଂ ବାଲେଶ୍ୱର ବାମପଦାରେ ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି। ତଲାସୀ ବେଳେ ବିଭିନ୍ନ ସମ୍ପତ୍ତି, ଦସ୍ତାବିଜ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଛି। ଚଢ଼ାଉ ଶେଷ ହେବା ପରେ ସମ୍ପତ୍ତି ସମ୍ପର୍କିତ ଅଧିକ ତଥ୍ୟ ଓ ଭିଜିଲାନ୍ସର ଆକଳନ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।