ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସର ବଡ଼ ଧରଣର ଚଢ଼ାଉ ।

ରାଉରକେଲା,୦୮/୦୬:ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ସକ୍ରିୟ ଆନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ରାଉରକେଲା ପୋଲିସର ବଡ଼ ଧରଣର ଚଢ଼ାଉ,ନଗଦ ୨୮.୩୯ ଲକ୍ଷ ଟଙ୍କା ସମେତ ସୁନା, ରୂପା ଅଳଙ୍କାର, ଯାନବାହନ ଜବତ; ୨ ଅଭିଯୁକ୍ତ ଗିରଫ ଅପରାଧ ଏବଂ ବେଆଇନ କାର୍ଯ୍ୟକଳାପ ବିରୋଧରେ ଚାଲିଥିବା ଓଡ଼ିଶା ପୋଲିସର ନିରନ୍ତର ଅଭିଯାନକୁ ଆଉ ଏକ ଉଲ୍ଲେଖନୀୟ ସଫଳତା ମିଳିଛି। ରାଉରକେଲା ପୋଲିସ ସେକ୍ଟର-୧୫ ଥାନା ଅନ୍ତର୍ଗତ ଓଡ଼ିଶା-ଝାଡଖଣ୍ଡ ସୀମାଞ୍ଚଳରେ ଥିବା ଲୁଆକେରା ଗ୍ରାମରେ ଚଢ଼ାଉ କରି ଏକ ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗକୁ ଠାବ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ବହାନ କଂସାରୀ (୪୮) ଏବଂ ଦିଲୀପ କଂସାରୀ (୫୯)ଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତ ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମର ବାସିନ୍ଦା।

ଏହା ସହ ନଗଦ ଟଙ୍କା ୨୮,୩୯,୪୦୦/- ଟଙ୍କା, ୪୦୫ ଗ୍ରାମ ସୁନା ଅଳଙ୍କାର, ୬୦୦ ଗ୍ରାମ ରୂପା ଅଳଙ୍କାର, ୦୩ଟି ଚାରିଚକିଆ ଯାନ, ୦୪ଟି ମୋଟରସାଇକେଲ ସମେତ ମୋବାଇଲ ଫୋନ, ପାଲି , କ୍ୟାସ କାଉଣ୍ଟିଂ ମେସିନ ପୋଲିସ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ରାଉରକେଲା ସେକ୍ଟର-୧୫ ଥାନା ଅନ୍ତର୍ଗତ ଲୁଆକେରା ଗ୍ରାମରେ ନିୟମିତ ଜୁଆ ଖେଳ ହେଉଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢଉ କରିଥିଲା । ଏହି ଅଭିଯାନରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ନିୟୋଜିତ କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଜୁଆ ସମ୍ବନ୍ଧୀୟ ମାମଲା ରହିଛି। ବଣ୍ଡାମୁଣ୍ଡା ଥାନା ଏବଂ ବିସ୍ରା ଥାନା ରେ ସେମାନଙ୍କ ସମ୍ପୃକ୍ତି ରହିଥିବା ତଦନ୍ତରୁ ଜଣା ପଡିଛି ।

ଏହି ଆନ୍ତଃରାଜ୍ୟ ଜୁଆ ଗ୍ୟାଙ୍ଗ ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କ ଭୂମିକା ଏବଂ ସମ୍ପୃକ୍ତି ସମ୍ପର୍କରେ ତଦନ୍ତ ଚାଲିଛି। ପୋଲିସ ପକ୍ଷରୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଆଗାମୀ ଦିନରେ ଓଡ଼ିଶା ପୋଲିସ ରାଜ୍ୟରେ ଜୁଆ, ଅପରାଧ ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୋଧରେ କଠୋର ମଧ୍ୟ ଜାରି ରଖିବ ଏବଂ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Comments (0)
Add Comment