ଆଜି ଛାତ୍ର ସଂସଦ ନିର୍ବାଚନ: ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା, ସନ୍ଧ୍ୟାରେ ଫଳାଫଳ ।

ଭୁବନେଶ୍ୱର, ୧୫/୧୦(ପିପିଟି): ରାଜ୍ୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ରାଜ୍ୟର ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଏହି ନିର୍ବାଚନ ହେଉଥିବା ବେଳେ ଚୂଡ଼ାନ୍ତ ତାଲିକାରେ ୬,୮୯୧ ଜଣ ପ୍ରାର୍ଥୀ ରହିଛନ୍ତି। ଏଥିରେ ୩୪୬ଟି କଲେଜର ୬,୫୩୩ ଜଣ ଓ ୧୩ଟି ବିଶ୍ୱବିଦ୍ୟାଳୟର ୩୫୮ ଜଣ ପ୍ରାର୍ଥୀ ସାମିଲ ଅଛନ୍ତି। ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ମହିଳାଙ୍କ ଅଂଶ ୪୫.୨ ପ୍ରତିଶତ ରହିଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ କ୍ୟାମ୍ପସ୍ଗୁଡ଼ିକରେ ନିର୍ବାଚନୀ ଉତ୍ସାହ ଦେଖାଦେଇଥିବା ବେଳେ ଛାତ୍ର ସଂଗଠନଗୁଡ଼ିକ ନିଜ ସମର୍ଥକଙ୍କୁ ନେଇ ବିଜୟ ଆଶାରେ ରହିଛନ୍ତି।

ନିର୍ବାଚନ ପୂର୍ବରୁ ବୁଧବାର ଅନୁଷ୍ଠିତ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକକୁ ନେଇ ରାଜ୍ୟର ବିଭିନ୍ନ କ୍ୟାମ୍ପସ୍ରେ ଉତ୍ତେଜନା ଦେଖାଦେଇଥିଲା। ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ପ୍ରାୟ ତିନି ଘଣ୍ଟା ଧରି ଉତ୍ତେଜନା ଲାଗିରହିଥିଲା। ଭଞ୍ଜନଗରର ଋଷିକୂଲ୍ୟା କଲେଜ, ବାରିପଦାର ବାବା ବଳିଆ କଲେଜ, ଯାଜପୁରର ଏନ୍ସି କଲେଜ, ମୟୂରଭଞ୍ଜର ଉଦଳା କଲେଜ, ନୂଆପଡ଼ା ନ୍ୟାସନାଲ କଲେଜ ଓ ବଲାଙ୍ଗିରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ନୂଆପଡ଼ା ନ୍ୟାସନାଲ କଲେଜ ଫାଟକ ସମ୍ମୁଖରେ ଏକ ଛାତ୍ର ସଂଗଠନର ସଦସ୍ୟଙ୍କ ସହ ପୁଲିସର ଧସ୍ତାଧସ୍ତି ହୋଇଥିବା ଅଭିଯୋଗ ହୋଇଛି। ଯାଜପୁର ଏନ୍ସି କଲେଜରେ ଜଣେ ପ୍ରାର୍ଥୀ ନିଖୋଜ ଥିବା ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଗଞ୍ଜାମ କଲେଜରେ ନିର୍ବାଚନ ବାତିଲକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଅଧ୍ୟକ୍ଷଙ୍କୁ ହତ୍ୟା ଧମକ ଦିଆଯାଇଥିବା ଏକ ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ଛାତ୍ର ଅଶାନ୍ତିକୁ ଦୃଷ୍ଟିରେ ରଖି ବଲାଙ୍ଗିରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଢେଙ୍କାନାଳର ଓଡ଼ାପଡ଼ା କଲେଜ ଓ ଝାରସୁଗୁଡ଼ାର ଏଲ୍ଏନ୍ କଲେଜରେ ନିର୍ବାଚନ ବାତିଲ ସହ ସାଇନ୍-ଡାଏ ଘୋଷଣା କରାଯାଇଛି। ଏହି ଘଟଣାଗୁଡ଼ିକ କ୍ୟାମ୍ପସ୍ରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ନେଇ ଚିନ୍ତା ବଢ଼ାଇଛି।

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକାରେ ସଭାପତି, ଉପସଭାପତି ଓ ସାଧାରଣ ସମ୍ପାଦକ ପଦ ପାଇଁ ବହୁ ପ୍ରାର୍ଥୀ ମଇଦାନରେ ଅଛନ୍ତି। ନିର୍ବାଚନ ପୂର୍ବରାତିରେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଯାଇଥିବା ଅଭିଯୋଗ ହୋଇଛି। ବିରିୟାନୀ ଓ ଅନ୍ୟାନ୍ୟ ଖାଦ୍ୟ ବଣ୍ଟନ ଆଳରେ ଟଙ୍କା ବଣ୍ଟାଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଭୋଟ୍ ଦିନ ସକାଳେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ କୋଠରି ସମ୍ମୁଖରେ ‘ଗୁଡ୍ ମର୍ଣ୍ଣିଂ’ କାର୍ଡ ରଖିବା ସହ ଗୋଲାପ ଫୁଲ ଦେଇ ପ୍ରାର୍ଥୀଙ୍କ ନାମ ମନେ ପକାଇବାକୁ ସମର୍ଥକମାନେ ଉଦ୍ୟମ କରିଛନ୍ତି। ଏବେ ସମସ୍ତଙ୍କ ନଜର ମତଦାନ ହାର ଓ ସନ୍ଧ୍ୟାରେ ଘୋଷଣା ହେବାକୁ ଥିବା ଫଳାଫଳ ଉପରେ ରହିଛି।

Comments (0)
Add Comment