ଭୁବନେଶ୍ୱର, ୧୫/୧୦(ପିପିଟି): ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଗୁରୁବାର ସକାଳୁ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ। ଏହି କ୍ରମରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମଧ୍ୟ ମତଦାନ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିସିଜେଡି ପ୍ରାର୍ଥୀଙ୍କ ପକ୍ଷରୁ ଶ୍ରୀମନ୍ଦିରର ମହାପ୍ରସାଦ ଓ ଗୋଲାପ ଫୁଲ ବଣ୍ଟନ କରାଯାଉଥିବା ଦେଖିବାକୁ ମିଳିଛି। ଭୋଟ୍ ଦେବାକୁ ଆସୁଥିବା ଛାତ୍ରୀମାନଙ୍କୁ ମହାପ୍ରସାଦ ଓ ଗୋଲାପ ଫୁଲ ଦିଆଯାଉଛି।
ଅନ୍ୟପକ୍ଷରେ, ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶ୍ୱବିଦ୍ୟାଳୟ ପରିସରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଲଗାଯାଇଛି। ନିର୍ଦ୍ଧାରିତ ପୋଷାକ ଓ ପରିଚୟପତ୍ର ନଥିଲେ କାହାକୁ ମଧ୍ୟ କ୍ୟାମ୍ପସ୍ ଭିତରକୁ ପ୍ରବେଶ ଅନୁମତି ଦିଆଯାଉନାହିଁ। କଲେଜ କରିଡର୍ରେ ବିଭାଗୀୟ ମୁଖ୍ୟମାନେ ନଜର ରଖିଥିବା ବେଳେ ମତଦାନ କେନ୍ଦ୍ରରେ ସିସିଟିଭି ମାଧ୍ୟମରେ ନିରୀକ୍ଷଣ କରାଯାଉଛି। ନିର୍ବାଚନ ପରିଚାଳନାରେ କୌଣସି ସମସ୍ୟା ନଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ଅଧିକାରୀ ଅମ୍ବିକା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।