ଅସୁରକ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ ।

ପୋଲସରା ,୧୧/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଖଇର‌‌ଚ୍ଚଟା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ଅଛି। ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୪୭ ଜଣ ବାଳକ ଓ ବାଳିକା ପାଠ ପଢୁଛନ୍ତି। ତେବେ ବିଡମ୍ବନାର ବିଷୟ ଆଜକୁ ଦୀର୍ଘ ଦିନ ହେବ ବିଦ୍ୟାଳୟ ପଛପଟର ସୁରକ୍ଷା ପାଚେରିଟି ଭାଙ୍ଗିଯାଇ ତଳେ ପଡିଯାଇଛି। ଏହି ସୁରକ୍ଷା ପାଚେରୀ ଭାଙ୍ଗିଯିବା ଦ୍ଵାରା ବିଦ୍ୟାଳୟର ସମଗ୍ର ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାଠାରୁ ବଡ଼ ସମସ୍ୟା ଗ୍ରାମବାସୀଙ୍କ କହିବା ପ୍ରକାରେ ଛୁଟି ଦିବସ ଏବଂ ସ°ନ୍ଧ୍ୟା ହୋଇଗଲେ ବିଦ୍ୟାଳୟ ହତାଟି ଅସାମାଜିକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଯାଉଛି। ଫଳରେ ବିଦ୍ୟାଳୟର ପରିବେଶ ଦୁଷିତ ଏବଂ ଶୈକ୍ଷିକ ବାତାବରଣ କଳୁଷିତ ହେବାକୁ ଲାଗିଛି ଉଲ୍ଲେଖ କରାଗଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ଏହି ଗମ୍ଭୀର ସମସ୍ୟାକୁ ଦୂର କରିବାକୁ ବିଦ୍ୟାଳୟ ପକ୍ଷରୁ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଦରଖାସ୍ତ ଜରିଆରେ କାର୍ଯ୍ୟାଳୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଧା ଦୁଃଖର ବିଷୟ ଉଭୟ ବିଭାଗୀୟ ପ୍ରଶାସନ ଅଧିକାରୀଙ୍କ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ନିଆଯାଇନଥିବାର ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ କହିଛନ୍ତି। ଏଣୁ ବେଳ ଥାଉ ଥାଉ ବାଳ ବାନ୍ଧିବା ନ୍ୟାୟରେ ପିଲାମାନଙ୍କ ସ୍ଵାସ୍ଥ୍ୟ, ଭବିଷ୍ୟତ ଏବଂ ବିଦ୍ୟାଳୟର ସୁରକ୍ଷାକୁ ଦୃଷ୍ଟି ଆଗରେ ରଖି ଅବିଳମ୍ବେ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବୀ କରାଯାଇଛି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment