ମୟୂରଭଞ୍ଜ,୦୪/୧୧: କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା, ମନି ଲଣ୍ଡରିଂ ଓ ଠକେଇ ଅଭିଯୋଗକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ଧରଣର ଚଢ଼ାଉ କରାଯାଇଛି। କଲିକତାର ଏକ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଈଶ୍ୱର ବିନ୍ଧାଣୀଙ୍କ ଘର ସମେତ ଏକାଧିକ ସ୍ଥାନରେ ଏହି ଯାଞ୍ଚ ଚାଲିଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗ୍ରାମରେ ଥିବା ତାଙ୍କ ବାସଭବନରେ ଆଜି ସକାଳୁ ଇଡିର ତିନିଜଣିଆ ଟିମ୍, ଦୁଇଜଣ ବ୍ୟାଙ୍କ ଅଧିକାରୀ ଓ ପୁଲିସର ମିଳିତ ଟିମ୍ ଚଢ଼ାଉ ଆରମ୍ଭ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଟ୍ରେଡିଂ କମ୍ପାନୀର ଓଡ଼ିଶା ମୁଖ୍ୟ ଭାବେ ଈଶ୍ୱର ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର ସମେତ ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ଠକି ନେଇଥିବା ଅଭିଯୋଗ ରହିଛି। ଏହି ଆର୍ଥିକ କାରବାରକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହାକୁ ଆଧାର କରି ଇଡି ପକ୍ଷରୁ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଓ ସମ୍ପତ୍ତି ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ତେବେ ଚଢ଼ାଉ ସମୟରେ କେଉଁ କେଉଁ କାଗଜପତ୍ର, ବ୍ୟାଙ୍କ ଦସ୍ତାବିଜ୍ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି, ସେନେଇ ଇଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ସୂଚନା ଜାରି କରାଯାଇନାହିଁ। ଚଢ଼ାଉ ପରେ ତଦନ୍ତର ଅଗ୍ରଗତି ଓ ଆର୍ଥିକ କାରବାରର ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।