ରାୟଗଡା,୩୦/୦୮(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ବାଙ୍ଗିଛକରେ ଦୀର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ବ ହେବ ଜଳଭଣ୍ଡାରଟିଏ ରହିଛି। ଉପର ମୁଣ୍ଡରେ ବର୍ଷାହେଲେ ଓ ପାହାଡ଼ରୁ ପାଣି ଆସି ସେଠାରେ ରହିବା ଫଳରେ ତଳ ମୁଣ୍ଡର ପ୍ରାୟ ୩୦୦ ଏକର ଜମିରେ ପାଣି ମାଡୁଥିଲା।ତେଣୁ ଚାଷୀଙ୍କୁ ଖରିଫଚାଷ ପାଇଁ ଅସୁବିଧା ହେଉନଥିଲା। ପୂର୍ବେ ସେହି ଜଳଭଣ୍ଡାର ପାଇଁ ବାଙ୍ଗୀଗ୍ରାମର ଜଣେ ବଦାନ୍ୟବ୍ୟକ୍ତି ଜମି ଦାନ କରିଥିଲେ ବୋଲି ଗ୍ରାମବାସୀ କହିଛନ୍ତି ଓ ଦାନ ଦେବା କବଲା ରହିଛି ବୋଲି କହିଛନ୍ତି ।ଜଳଭଣ୍ଡାରର ଉନ୍ନତି ନିମନ୍ତେ ବିଭିନ୍ନ ସମୟରେ ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି,ଆଇଟିଡିଏ,ଜିଲ୍ଲା ପରିଷଦ, ବିଧାୟକ ଓ ମନରେଗା ପାଣ୍ଠିରେ କାମ ହୋଇଛି। ୩୦ ବର୍ଷ ତଳେ ପଞ୍ଚାୟତ ତରଫରୁ ହିଡକାମ ହୋଇଥିଲା । ୨୦୦୮-୦୯ ଆର୍ଥିକବର୍ଷରେ ୩ ଲକ୍ଷ ଟଙ୍କା ବ୍ୟୟରେ ଜଳଭଣ୍ଡାରର ପୂର୍ବପଟେ କଂକ୍ରିଟ କାନ୍ଥ କରି ପୁନରୁଦ୍ଧାର କରାଗଲା। ୨୦୧୨-୧୩ ଆର୍ଥିକ ବର୍ଷରେ ବ୍ଲକ ତରଫରୁ ୫ ଲକ୍ଷ ବ୍ୟୟରେ ଚେକଡେମ କରାଯାଇଛି।ମନରେଗା ଯୋଜନାରେ କେନାଲ କାମ କରି ଜମିକୁ ପାଣି ଯିବା ବ୍ୟବସ୍ଥା କରାଯାଇଥିଲା। ମାତ୍ର ୧୫ ଦିନ ତଳେ କିଛି ବ୍ୟକ୍ତି ଆସି ଏହି ଜଳ ଭଣ୍ଡାରରେ ମାଟି ପୋତିବାକୁ ଆରମ୍ଭ କଲେ,ଗ୍ରାମବାସୀ ପଚାରିବାରୁ ସେମାନେ କହିଥିଲେ ଯେ ଏହି ଜମି ଆମେ କିଣିଛୁ, ଏଠାରେ ଆମେ ହୋଟେଲ ଓ ପେଟ୍ରୋଲ୍ ପମ୍ପ କରିବୁ । ଯଦି ଏହି ଜଳ ଭଣ୍ଡାର ପୋତି ହୋଇଯିବ ତଳ ମୁଣ୍ଡର ପ୍ରାୟ ୩୦୦ ଏକର ଜମି ରେ ଫସଲ ହେବ ନାହିଁ ଓ ଉପରୁ ମୁଣ୍ଡରୁ ଆସୁଥିବା ପାଣି ବିନା କାରଣରେ ତଳକୁ ବୋହି ନଷ୍ଟ ହୋଇଯିବ।ଏଥିରୁ ଅନୁମାନ କରିବା କଥା ଯେ ଯଦି ଏହା ବେସରକାରୀ ଜମି ତେବେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା କାହିଁକି ? ଏହି ଜମିର ନକ୍ସା ମିଳିଲା କିପରି ? ଯଦି ଏହା ସରକାରୀ ଜମି ତେବେ ଜମି ଦଖଲ କାରୀଙ୍କୁ କିଏ ଆକଟ କରିବ ତାହା ସାଧାରଣରେ ଆଲୋଚନା ହେଉଛି।ଏହି ଘଟଣାକୁ ନେଇ ବଡ଼ବାଙ୍ଗି,ପାଇକସାହି,ଝରାସାହି ଓ ବାଙ୍ଗି ଛକ ବାସୀଙ୍କ ମନରେ ଅସନ୍ତୋଷର ଦାନା ବାନ୍ଧୁଛି ଓ ସେମାନେ ରାୟଗଡା ଜିଲ୍ଲାପାଳ,ଵିଡିଓ ରାମନାଗୁଡା, ତହସିଲଦାର ରାମନାଗୁଡା ଓ ଉପଜିଲ୍ଲାପାଳ ଗୁଣୁପୁରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଗ୍ରାମବାସୀ ଡ଼ମ୍ଵୁରୁ ପାତିକା, ପୂର୍ଣ୍ଣ ପାତିକା,କୈଳାଶ ମାଣ୍ଡାଙ୍ଗୀ, ବସନ୍ତ କାଡ୍ରାକା,ରଞ୍ଜିତ କୁମାର ବେହେରା ଓ ଗଙ୍ଗା କାଡ୍ରାକା ପ୍ରକାଶ କରିଛନ୍ତି। ରିପୋର୍ଟ – ନବୀନ ନାୟକ ବେହେରା ।