ହିଞ୍ଜିଳିକାଟୁ,ତା-୨୮/୦୮(ପିପିଟି) ; ସମଗ୍ର ବିଶ୍ୱ ଆଜି କରୋନାର କରାଳ ଛାୟାରେ ଜର୍ଜରିତ। ଏହି ମହାମାରୀ ସାରା ବିଶ୍ୱକୁ ଦୀର୍ଘ ପାଞ୍ଚ ମାସରୁ ଉର୍ଦ୍ଧ୍ବ ସମୟ ଧରି ସମଗ୍ର ମାନବ ସମାଜକୁ ଦୟନୀୟ କରିବା ସହ ବିଶ୍ୱ ଅର୍ଥନୀତିକୁ ମଧ୍ୟ ସମ୍ପୂର୍ଣ ରୂପେ ଉଜାଡି ଦେଇଛି। ବର୍ତ୍ତମାନ ଭାରତରେ ପାଖାପାଖି ୩୦ ଲକ୍ଷ ଲୋକ ଆକ୍ରାନ୍ତ ହେବା ସହ ୭୦,୦୦୦ ଲୋକଙ୍କ ଦେହାନ୍ତ ହୋଇସାରିଲାଣି। ସେହିପରି ଓଡିଶାରେ ପାଖାପାଖି ୮୫,୦୦୦ ଲୋକ ଆକ୍ରାନ୍ତ ହେବା ସହ ୪୫୦ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଛନ୍ତି।ଏହା ମଧ୍ଯରେ ବିଭିନ୍ନ ଜିଲ୍ଲାରେ କରୋନା ଜନିତ ମୃତ୍ୟୁବରଣ କିଛିମାତ୍ରାରେ ଘଟିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୭,୦୦୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହେବା ସହ ପାଖାପାଖି ୨୦୦ ଲୋକ ମୃତ୍ୟୁବରଣ କରିବା ଚିନ୍ତାଜନକ ବିଷୟ ପାଲଟିଛିl ଏହି ସାମ୍ପ୍ରତିକ ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନେ ଜିଲ୍ଲାକୁ ଫେରିଥିବାରୁ ବେରୋଜଗାରୀ ଏକ ବଡ ସମସ୍ୟା ରୂପେ ମୁଣ୍ଡ ଟେକିଛି। ସୁରତ, ମୁମ୍ବାଇ,ଆନ୍ଧ୍ର ପ୍ରଦେଶ ଇତ୍ୟାଦି ଅଞ୍ଚଳରୁ ଆସିଥିବା ଶ୍ରମିକ ମାନଙ୍କ ପାଇଁ କିପରି ଅଧିକରୁ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରାଯାଇ ପାରିବ ଏବଂ ତତ୍ ସଙ୍ଗେସଙ୍ଗେ ଲଘୁ ଉଦ୍ୟୋଗ ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ କିପରି ନୂଆ ସମ୍ଭାବନା ସୃଷ୍ଟି କରାଯାଇ ପାରିବ ସରକାରୀ ସ୍ତରରେ ପଦକ୍ଷେପ ନେବା ଆବଶ୍ୟକତା ରହିଛି।କିନ୍ତୁ ବିଡମ୍ବନାର ବିଷୟ ଗତ ୩୦ ବର୍ଷ ତଳେ ରେଶମ ସହର ବ୍ରହ୍ମପୁରର ପାଟ,ପିତଳ ଗାମୁଛା ଓ କଟନ ଶାଢ଼ୀ,ଆସ୍କା କଟନ ଶାଢ଼ୀ,ପଦ୍ମନାଭପୁରର ବସ୍ତ୍ର , ହିଂଜିଳି ଅଞ୍ଚଳର ସୂତା ଲୁଗା କିମ୍ବା ସମ୍ବଲପୁରୀ ପାଟ ଇତ୍ୟାଦି ଏକ ମୁଖ୍ୟ ରୋଜଗାରର ପନ୍ଥା ସାଜିଥିବା ସ୍ଥଳେ ବର୍ତ୍ତମାନ ଏହା କେବଳ ହସ୍ତତନ୍ତ୍ର ମଧ୍ୟରେ ହିଁ ଶିରୋନାମା ପାଲଟି ରହିଯାଇଛି। ବ୍ରହ୍ମପୁର ପାଟ ବିଭିନ୍ନ ପ୍ରୋତ୍ସାହନର ଅଭାବ ତଥା ଅନ୍ୟାନ୍ୟ ପାରିପାର୍ଶ୍ୱିକ ସମସ୍ୟା ଯୋଗୁଁ ତାଙ୍କ କୌଳିକ ବୃତ୍ତିକୁ ଛାଡି ଅନ୍ୟ ରାଜ୍ୟାଭିମୁଖି ହେଉଛନ୍ତି କୁଶଳୀ କାରିଗରମାନେ।ବିଭିନ୍ନ ରାଜ୍ଯରେ ଶ୍ରମ ଭିତ୍ତିକ କାର୍ଯ୍ୟରେ ନିୟୋଜିତ ଓଡ଼ିଆ ଶ୍ରମିକମାନେ କରୋନା ମହାମାରୀ ଯୋଗୁଁ ଜୀବନଜୀବିକା ହରାଇ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ପ୍ରବାସୀ ସୁରତ, ମୁମ୍ବାଇ, ବାଙ୍ଗାଲୋର,ହାଇଦ୍ରାବାଦ ଆଦି ସ୍ଥାନରୁ ନିଜ ଭିଟାମାଟିକୁ ଫେରିଛନ୍ତି। ସେମାନଙ୍କର ଭିତରୁ କୁଶଳୀ ଏବଂ ଅଣ କୁଶଳୀ ଶ୍ରମିକ ୩ ଲକ୍ଷରୁ ଉର୍ଦ୍ଧ୍ଵଙ୍କୁ ନେଇ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ କରାଯିବ ତାହାହେଲେ ଗଞ୍ଜାମ ଜିଲ୍ଲାର ଅର୍ଥନୀତି ସୁଦୃଢ଼ ହେବା ସହ ରୋଜଗାରର ସୁଯୋଗ ସୃଷ୍ଟି ହୋଇ ପାରିଥାଆନ୍ତା। ସୁଗମ ଅନୁଷ୍ଠାନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି, ଯେ ଗଞ୍ଜାମ ଜିଲ୍ଲାରେ ଏକ ବୟନ ଶିଳ୍ପ ପାର୍କ ନିର୍ମାଣ କରିବା ପାଇଁ ଅନୁରୋଧ କରିଛନ୍ତି । ଏହି ସବୁ ଅନୁରୋଧ ନେଇ ଶ୍ରୀକାନ୍ତ ପାଢ଼ୀ(ମୁଖ୍ୟ ଉପଦେଷ୍ଟା ତଥା ସଦସ୍ୟ କେନ୍ଦ୍ରୀୟ ଚଳଚିତ୍ର ପ୍ରମୟାନ ବୋର୍ଡ଼, ଭାରତ ସରକାର ), ଅରୁଣ ପାଠୀ, ଚିନ୍ତାମଣି ବେହେରା, ପ୍ରଶାନ୍ତ ପାଣିଗ୍ରାହୀ, ଆଲୋକ କୁମାର ନାୟକ, ରବୀନ୍ଦ୍ର ବେହେରା, ରାଜେନ୍ଦ୍ର ଗୌଡ଼ କବିରାଜ ବେହେରା, ପ୍ରକାଶ ବେହେରା, ରମେଶ ବେହେରା, ଭଗବାନ ପଣ୍ଡା, ନାରାୟଣ ସାହୁ, ଚିତ୍ରସେନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଜରିଆରେ ଅନୁରୋଧ କରିଥିଲେ। ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।