ମାଲକାନଗିରି ,୨୮/୦୬(ପିପିଟି): ବର୍ଷାର ଆଗମନ ହେଉ ହେଉ ପନିପରିବା ଦର ମାଲକାନଗିରି ଜିଲ୍ଲାରେ ବର୍ତ୍ତମାନ ଆକାଶ ଛୁଆଁ ହୋଇଛି। ପନିପରିବା ବେପାରୀମାନେ ମନ ଇଚ୍ଛା ଦର ବୃଦ୍ଧି କରିବା ଫଳରେ ସାଧାରଣ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡିଛି। ଟମାଟ କିଲୋ ଶହେ ରୁ ଶହେ କୋଡ଼ିଏ ଟଙ୍କାରେ ବର୍ତ୍ତମାନ ବିକ୍ରି ହେଉଛି,ଯାହାକି ଦୁଇ ଦିନ ତଳେ କିଲୋ ଷାଠିଏ ଟଙ୍କାରେ ବିକ୍ରି ହେଉଥିଲା।ଏହେତୁକ ଦର ବୃଦ୍ଧି ସତ୍ବେ ଉପଜିଲ୍ଲାପାଳ ଏବଂ ପୌରପରିଷଦ ଅଧିକାରୀ ଦରଦାମ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ମାଲକାନଗିରି ସଦର ମହକୁମାର ପନିପରିବା ବେପାରୀମାନେ ବିକ୍ରୟ କରୁଥିବା ବେଳେ ଦୁଇ ଦିନ ମଧ୍ୟରେ ପନିପରିବା ଦର ଆକାଶ ଛୁଆଁ ବୃଦ୍ଧି ପାଇଛି। ଟମାଟ କିଲୋ ଶହେ ରୁ ୧୨୦ ଟଙ୍କା,କାଙ୍କଡ଼ କିଲୋ ୮୦ ଟଙ୍କା,ବରବଟଇ କିଲୋ ୬୦ ଟଙ୍କା, ବାଇଗଣ କିଲୋ ୪୦ ଟଙ୍କା, ଭେଣ୍ଡି କିଲୋ ୫୦ ଟଙ୍କା,ସଜନା ଛୁଇଁ ୮୦ ଟଙ୍କା,କଲରା କିଲୋ ୬୦ ଟଙ୍କା,ପୋଟଳ କିଲୋ ୫୦ ଟଙ୍କା, କଞ୍ଚା କଦଳୀ କିଲୋ ୫୦ ଟଙ୍କା, ଫୁଲ କୋବି କିଲୋ ୮୦ ଟଙ୍କା, ପତ୍ର କୋବି କିଲୋ ୪୦ ଟଙ୍କା,ସିମିଳା ମରିଚ କିଲୋ ୧୨୦ ଟଙ୍କା,ଆଳୁ ଓ ପିଆଜ କିଲୋ ୨୦ ଟଙ୍କା,ଅଦା କିଲୋ ୨୪୦ ଟଙ୍କା, ରସୁଣ କିଲୋ ୧୨୦ ରୁ ୧୪୦ ଟଙ୍କାରେ ବିକ୍ରି ହେଉଛି।ଏହା ବ୍ୟତୀତ ଅଣ୍ଡା ଟ୍ରେଏ (୩୦) ପ୍ରତି ୧୭୦ ଟଙ୍କାରେ ହୋଲସେଲ ଦର ରେ ବିକ୍ରୟ ହେଉଛି। ଏଥି ପ୍ରତି ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ ନକଲେ ଆଗକୁ ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇବ, ଫଳରେ ସାଧାରଣ ଖାଉଟି ବଡ଼ ଧରଣର ଅସୁବିଧାରେ ସନ୍ତୁଳିତ ହେବେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)