ଭଞ୍ଜନଗର, ୨୦/୬(ପିପିଟି): ଭଞ୍ଜନଗର ନିକଟ କୁଲାଡ଼ ଠାରେ କେଉଁ ଆବହମାନ କାଳରୁ ଭଞ୍ଜ ରାଜ ବଂଶ ଦ୍ୱାରା ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଏହା କ୍ରମେ ଦେବୋତ୍ତର ବିଭାଗ ପକ୍ଷରୁ ପରିଚାଳିତ ହୋଇ ଚଳିତ ବର୍ଷ ବେଶ ଆନନ୍ଦ ଉଲ୍ଲାସର ସହିତ ପ୍ରଭୁ ଜଗନ୍ନାଥ,ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ସମ୍ପନ୍ନ ହୋଇଥିଲା।ମନ୍ଦିର ଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅଞ୍ଚଳ ସୁନ୍ଦର ଝୋଟିରେ ସଜ୍ଜିତ ହୋଇଥିଲା।ସକାଳେ ଦିଅଁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ବାଳ ଭୋଗ ସରିବା ପରେ ଅନ୍ନଭୋଗ ଲାଗିଥିଲା।ଦିନ ୧୧ଟାରେ ସେଣା ପଟା ଭିଡ଼ା, ରଥ ପ୍ରତିଷ୍ଠା ପରେ ବଳିଦାନ ଓ ଠାକୁରଙ୍କ ପହଣ୍ଡି ବିଜେ ହୋଇଥିଲା।ଅପରାହ୍ନ ୪ଟାରେ ରାଜାଙ୍କ ବଂଶଧର ପ୍ରଶାନ୍ତ ଭଞ୍ଜ ରଥରେ ଛେରା ପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା।ବହୁ ବିଳମ୍ବରେ ରଥ ଟଣା ହେବା ସହ ରାସ୍ତାର ବାମ ପାର୍ଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଲାଗି ରଥ ଅଟକି ଯାଇଥିଲା। ରାତି ହୋଇ ଯାଇଥିବାରୁ ଆସନ୍ତା କାଲି ପୁଣିଥରେ ରଥ ଟଣା ହୋଇ ଦିଅଁ ମାଉସୀ ମା’ ମନ୍ଦିରକୁ ଯିବା ପାଇଁ ସ୍ଥିର ହୋଇଛି।ଏଥିରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ତହସିଲଦାର ଅଚ୍ୟୁତାନନ୍ଦ ଯାନୀ, ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା,ଡ଼ିଏଫଓ ସୁଦର୍ଶନ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି,ଥାନା ଅଧିକାରୀ ଧୀରେସ କୁମାର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇଥିଲେ।ଭିଡକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ କର୍ମଚାରୀ ମୃତୟନ ହୋଇଥିଲେ।ସେହିପରି ଭଞ୍ଜନଗର ଭେଜିପୁଟ, ନାରାୟଣ ମନ୍ଦିର ସାହି ଓ ବଡ଼ କୋଦଣ୍ଡା ଠାରେ ମଧ୍ୟ ଭହୁ ଭକ୍ତଙ୍କ ସମାଗମରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ -ଜୟକୃଷ୍ଣ ପଟ୍ଟନାୟକ