ଜିଲ୍ଲାସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ।

0 233

ମାଲକାନଗିରି,୧୬/୦୫(ପିପିଟି):ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଅଷ୍ଟମ ତମ ଜାତୀୟ ଡେଙ୍ଗୁ ଦିବସର ସ୍ଲୋଗାନ ହେଉଛି ,ଦୃଢତାର ସହିତ ସହଭାଗିତା ରଖି ଡେଙ୍ଗୁକୁ ପ୍ରତିହତ କରିବା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) , ମହେଶ୍ୱର ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଯେଉଁ ଆଶା, ଅଙ୍ଗନୱାଡି କର୍ମୀ ଉତ୍କୃଷ୍ଟ କାମ କରିବେ ତାଙ୍କୁ ସମ୍ବର୍ଦ୍ଧନା କରାଯିବ। ସେହିପରି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ( ମଶା ବାହିତ ରୋଗ) ଡ଼ା ଧନେଶ୍ଵର ମହାପାତ୍ର ଓ ଡ଼ା ଅନିଲ ମିଶ୍ର ଉପସ୍ଥିତ ରହି ଡେଙ୍ଗୁ ନିରାକରଣର ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।ସୂଚନାଯୋଗ୍ୟ ଯେ,ଜିଲ୍ଲାରେ ୨୦୨୧ ମସିହା ରେ ୨୬୯୮ ଡେଙ୍ଗୁ ସନ୍ଦେହୀ ରୋଗୀଙ୍କର ରକ୍ତ ପରୀକ୍ଷା କରାଯାଇ ୩୩୬ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ତନ୍ମଧ୍ୟରୁ ୨୦୨୨ ମସିହାରେ ୫୩୦୯ ଜଣଙ୍କର ପରୀକ୍ଷା କରାଯାଇ ୩୫୯ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେହିପରି ୨୦୨୩ ରେ ଅର୍ଥାତ୍ ବର୍ତ୍ତମାନ ପର୍ଯ୍ୟନ୍ତ ୫୮୫ ଜଣଙ୍କର ରକ୍ତ ପରୀକ୍ଷା ହୋଇ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ନାହିଁ ।
ସେହିପରି ଜିଲ୍ଲା ମଶା ବାହିତ ରୋଗ ପରାମର୍ଶଦାତା ଅଜିତ କୁମାର ଦଲାଇ,ଆଶା ଓ ଅଙ୍ଗନୱାଡି କର୍ମୀ ,ସ୍ଵାସ୍ଥ୍ୟ କର୍ମୀ ମାନଙ୍କ କାର୍ଯ୍ୟ ପ୍ରଣାଳୀ କ’ଣ ଓ ତାଙ୍କର ଦାୟିତ୍ବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଚଳିତ ବର୍ଷର ଯୋଜନା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ମଶା ବାହିତ ରୋଗ ବିଶେଷଜ୍ଞ ବିକାଶ ପାଣିଗ୍ରାହୀ ସହାୟତା କରିଥିଲେ । ଏହି ଦିବସରେ ମାଲକାନଗିରି ପୌର ପରିଷଦର ସମସ୍ତ ଆଶା, ଅଙ୍ଗନୱାଡି ଓ ସ୍ଵାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.