ସିଆଇଟିୟୁ ନେତୃତ୍ୱରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସି ଘେରିଲେ ପାଚିକା ଓ ସହାୟିକା।

0 274

ରଣପୁର,୨୦/୦୨(ପିପିଟି):ଦୀର୍ଘ ୨୮ ବର୍ଷ ହେଲା ଗଣଶିକ୍ଷା ବିଭାଗ ଅଧୀନରେ ସ୍କୁଲ ଗୁଡିକରେ ପାଚିକା ଭାବେ କାର୍ଯ୍ୟକରି ଆସୁଥିବା ପାଚିକା ଓ ସହାୟିକା ମାନେ ଆଜି ସିଟୁ ନେତୃତ୍ୱରେ ସଂଘ ବଦ୍ଧ ହୋଇ ଜୀବନ ଓ ଜୀବିକାର ସୁରକ୍ଷା ଦାବୀରେ ରଣପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ କରିବା ସହ କାର୍ଯ୍ୟଳୟକୁ ଘେରି ରହିଥିଲେ। ପୂର୍ବ ସୂଚୀ ଅନୁଯାୟୀ ଆଜି ଦିନ ୧୧ ଟାରୁ ରଣପୁର ପଞ୍ଚୁଦୋଳ ପଡିଆ ସହିଦ ରଘୁଦିବାକର ମଣ୍ଡପ ଠାରୁ ଏକ ସୁଶୋଭିତ ଶୋଭାଯାତ୍ରା ବାହାରି ବଜ଼ାର ପରିକ୍ରମା ପରେ ବ୍ଲକ ସମ୍ମୁଖରେ ଗଣବିକ୍ଷୋଭ ସଙ୍ଗଠିତ ହୋଇଥିଲା।ସାଥୀ ଭିକାରୀ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଵିକ୍ଷୋଭ ସମାବେଶରେ ବକ୍ତା ମାନେ କେନ୍ଦ୍ର ମୋଦୀ ଓ ରାଜ୍ୟ ନବୀନ ସରକାରର ଶ୍ରମିକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା(MDM)ଆରମ୍ଭ କରି ସ୍କୁଲ ଗୁଡିକରେ ପାଚିକା ଓ ସହାୟିକା ମାନଙ୍କୁ ନିଯୁକ୍ତି ଦେଇଥିଲେ। ବର୍ତ୍ତମାନ ପାଚିକା ମାନେ ଦୈନିକ ୪୬ ଟଙ୍କା ପାଇ ୧୦ଟା ରୁ ୪ଟା ସମୟ ପର୍ଯ୍ୟନ୍ତ ସ୍କୁଲରେ କାର୍ଯ୍ୟ କରି ବହୁ ଅଭାବ ଅନାଟନ ରେ ଜୀବନ ଅତିବାହିତ କରୁଥିଲା ବେଳେ ଉଭୟ କେନ୍ଦ୍ର ରାଜ୍ୟ ସରକାର ପାଚିକାଙ୍କ ପ୍ରତି ଧାରାବାହିକ ଅବହେଳା କରିଚାଲିଛନ୍ତି। ସେହିଭଳି ବକେୟା ଥିବା ୨୮ ମାସର ମାସିକ ପାଉଣା ର ବିଚାର କରି ତୁରନ୍ତ ପାଚିକାଙ୍କ ପ୍ରାପ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା ବେଳେ ଏ ଯାବତ ସରକାର ନ ଦେଇ ନୀରବ ରହିଛନ୍ତି ।ଯେତେବେଳେ ତାମିଲିନାଡୁ ସରକାର ପାଚିକା ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେଇ ଚତୁର୍ଥ ଶ୍ରେଣୀର କର୍ମଚାରୀ ଭାବେ ଗ୍ରହଣ କରିଛନ୍ତି ସେତିକି ବେଳେ ସରକାର ଗଭୀର ନିଦ୍ରାରେ ସୋଇଛନ୍ତି। ଏଭଳି ଶ୍ରମିକ ବିରୋଧୀ ନୀତିକୁ ବନ୍ଦକରି ପାଚିକା ଓ ସହାୟିକା ମାନଙ୍କୁ ସରକାର ତୁରନ୍ତ ନିୟମିତ କରି ଚତୁର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା,ମାସିକ ୨୬ ହଜାର ଟଙ୍କା ଦରମା,୬୨ ବର୍ଷକୁ କାର୍ଯ୍ୟକାଳ ଵୃଦ୍ଧି,ମାସିକ ୧୦ହଜାର ଟଙ୍କା ପେନସନ, ଅବସର ଓ ମୃତ୍ୟୁ କାଳୀନ ୫ଲକ୍ଷ ଟଙ୍କା, ବର୍ଷକୁ ୧୦ ମାସ ନୁହେଁ ୧୨ ମାସର ଦରମା, ସାମାଜିକ ସୁରକ୍ଷା, ପରିଚୟ ପତ୍ର ପ୍ରଦାନ କରିବା ଏବଂ ଉଚ୍ଚ ଅଧିକାରୀଙ୍କ ପାଚିକା ମାନଙ୍କୁ ନାଲି ଆଖି ଦେଖାଇବା ବନ୍ଦ କରିବା ଆଦି ଦାବୀ ଗୁଡିକୁ ସରକାର କାର୍ଯ୍ୟକାରୀ କରବାକୁ ବକ୍ତା ମାନେ ଦୃଢ଼ ଦାବି କରିଥିଲେ। ଭିକାରୀ ଚରଣ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବ୍ଲକ ଶିକ୍ଷ୍ୟାଧିକାରୀଙ୍କୁ ଭେଟି ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଓଡିଶା ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।ଏହି ଗଣ ବିକ୍ଷୋଭରେ ସିଆଇଟିୟୁର ରାଜ୍ୟ ସମ୍ପାଦକ ସୁରେଶ ସ୍ବାଇଁ, ଶ୍ରମିକ ନେତା ଭିକାରୀ ଚରଣ ସାହୁ,ପାଚିକା ସଙ୍ଘର ଜିଲ୍ଲା ସଭାନେତ୍ରୀ ସୁକାନ୍ତି ଜେନା, ଜିଲ୍ଲା ଶ୍ରମିକ ନେତ୍ରୀ ସଂଯୁକ୍ତା ସେଠୀ, ସବ୍ୟସାଚୀ ସେନାପତି, ଶ୍ରମିକ ନେତା ଦୁଃଶାସନ ଜେନା,ନିତ୍ୟାନନ୍ଦ ପରିଡା ,ସୁଶୀଲ ମହାନ୍ତି, ପାଚିକା ବ୍ଲକ ସମ୍ପାଦିକା ପ୍ରଭାତୀ ବେହେରା, ଲକ୍ଷ୍ମୀ ଦେଇ,ଲିଲିମା ରଣା,ସାବିତ୍ରୀ ବିଶୋଇ,ସବିତା ପ୍ରଧାନ ପ୍ରମ୍ମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.