ଉଲୁଣ୍ଡା,(ପିପିଟି)୦୬/୦୫ – ଖରିଫ ଋତୁରେ ଏବେ ବାରମ୍ବାର କାଳବୈଶାଖୀ ସହ ବର୍ଷା ଓ କୁଆପଥର ମାଡ ଚାଷୀଙ୍କ ପାଇଁ ସଙ୍କଟ ସୃଷ୍ଟି କରିଛି ।ଗୋଟିଏ ପଟେ ଲାକଡାଉନ ଯୋଗୁ ଅଞ୍ଚଳର ପରିବ ଚାଷୀ ବିକ୍ରିବଟା କରିପାରୁ ନଥିବା ବେଳେ ଏବେ କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ସାଙ୍ଗକୁ ପ୍ରବଳ ଘୁର୍ଣ୍ଣିଝଡ଼ ଚାଷୀକୁଳକୁ ଏକପ୍ରକାର ହତାଶ କରିଦେଇଛି । ଗତକାଲି ବିଳମ୍ବିତ ରାତ୍ରି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଓ କୁଆପଥର ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି ।ଅଞ୍ଚଳରେ ଘଣ୍ଟାପ୍ରତି ହାରାହାରି ୮୦ ରୁ ୯୦ କିମି ବେଗରେ ପବନ ବୋହିବା ସହ କୁଆପଥର ବର୍ଷା ହୋଇଛି ।ବିଜୁଳି ଘଡଘଡି ଓ ବର୍ଷାରେ ପୁରା ଅଂଚଳ ରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ ହୋଇଯାଇଛି ।ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଉପୁଡି ରାସ୍ତା ଅବରୋଧ ହେବା ସହ ଅନେକ ସ୍ଥାନରେ ଲୋକଙ୍କ ଘର ଉପରେ ଗଛ ପଡି ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଘରର ଟିଣଛପର, ଆଜବେଷ୍ଟସ ଉଡାଇନେଇଛି ।ଅନ୍ୟପଟେ କୁଆପଥର ବର୍ଷା ଯୋଗୁଁ ଖରିଫ ଧାନ ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି ।ବ୍ଲକର କଳାପଥର,ଜାଲୋଏ,କଦୋଦର,କୋଟସମଲାଇ,ସିଂଢୋଲ,ପତ୍ରାପାଲି,ବିସିପଡା,ଉଲୁଣ୍ଡା ଆଦି ଗ୍ରାମପଞ୍ଚାୟତ ର ଅନେକ ଗ୍ରାମର ଡାଲୁଆ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି ।ଏପଟେ ଚାଷୀମାନେ ସାହୁକାର ତଥା ବିଭିନ୍ନ ବ୍ୟାଙ୍କରୁ ଋଣ ଆଣି ଚାଷକରିଥିବା ବେଳେ ଏବେ ଋଣ ଶୁଝିବା ପାଇଁ ଚାଷୀଙ୍କ ମୁଣ୍ଡରେ ଚିନ୍ତା ବଢିଯାଇଛି ।ଏଥିପ୍ରତି କୃଷି ବିଭାଗ ଦୃଷ୍ଟି ଦେଇ କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ରିପୋର୍ଟ – ଶାନ୍ତୁନୁ କୁମାର କର୍ଣ୍ଣ ।
Next Post