ଅଞ୍ଚଳର ଗର୍ବ ବାଙ୍କୋଇ ଗଡ଼ ।

0 263

ବୋଲଗଡ଼,୦୬/୦୨(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଞ୍ଚଳର ପାଞ୍ଚ ଗଡ଼ ମଧ୍ୟରେ ବାଙ୍କୋଇ ଗଡ଼ ହେଉଛି ଅନ୍ୟତମ। ବାଙ୍କୋଇ ଗଡ଼ ହେଉଛି ବହୁପ୍ରାଚୀନ ଗଡ। ଆକବରନାମା ରେ ଏହି ଗଡ଼ର ନାମ ମଙ୍ଗୋଇ ନାମରେ ନାମିତ ଥିଲା। ଏହିଗଡ଼ର ଦଳ ବେହେରା ୨୭ଟି ମୌଜାର ଅଧିପତି ଥିଲେ। ପୂର୍ବେ ଏହା ରଣପୁର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା। ଏହି ଦୁର୍ଗର ଅଧିପତି ବଙ୍କିମ ଦେବଙ୍କ ନାମ ଅନୁସାରେ ବାଙ୍କୋଇ ଗଡ଼ ହେଇଥିବା ଜନଶ୍ରୁତି ରହିଅଛି। ଗଡ଼ର ଦକ୍ଷିଣ ଦିଗରେ ପ୍ରତିଷ୍ଠିତ ରାମଚଣ୍ଡୀ ଦେବୀ ଗଡ଼ର ଇଷ୍ଟ ଦେବୀ ଅଟନ୍ତି। ତାରଶ୍ୱର ମହାଦେବଙ୍କ ପାଇଁ ଏହି ବାଙ୍କୋଇ ଗ୍ରାମ ପ୍ରସିଦ୍ଧ। ରଣପୁର ରାଜାଙ୍କ ଦ୍ଵାରା ବଉଳମାଳା ପଥରରେ ନିର୍ମିତ ତଥା ପ୍ରତିଷ୍ଠିତ ତାରେଶ୍ୱର ଦେବଙ୍କ ପ୍ରକାଣ୍ଡ ବୃଷଭ ସମଗ୍ର ଓଡ଼ିଶାରେ ଥିବା ବୃଷଭ ମାନଙ୍କ ମଧ୍ୟରେ ବୃହତ ଅଟେ। ଶ୍ରୀକ୍ଷେତ୍ର ପୁରୀ ରେ ୩୫ନିଯୋଗ ଥିଲା ବେଳେ ଏହି ତାରେଶ୍ୱର ଦେବଙ୍କ ପାଖରେ ରେ ୩୬ନିଯୋଗ ଅଛନ୍ତି। ଏହି ଠାରେ ଜାଗର ଯାତ୍ରା ସହ ପଞ୍ଚୁଦୋଳ ଯାତ୍ରା ଅନୁଷ୍ଠିତ ହୋଇଥାଏ। କଥିତ ଅଛି ଦଳ ବେହେରା ବଂଶର ପୂର୍ବ ପୁରୁଷ ମାନେ କାଞ୍ଚି ଅଭିଯାନରେ ଯାଇଥିଲେ। ଏହି ବଂଶର ପୂର୍ବଜ ରାଘବବୈରି ଗଂଜନ ସିଂହସାମନ୍ତ ଓ ଶ୍ରୀ ରାମଲୀଳାର ରଚୟିତା କବି ଅନଙ୍ଗ ନରେନ୍ଦ୍ର ପ୍ରକ୍ଷ୍ୟାତ ବ୍ୟକ୍ତି ଅଟନ୍ତି। ଯାହାକି ଓଡିଶାର ପୁର ପଲ୍ଲୀରେ ଶ୍ରୀରାମ ଲୀଳା ଆଦୃତ ହୋଇ ପାରିଛି। ସେହିପରି ଆଉ ଜଣେ କବି ସ୍ୱର୍ଗତ ଶାରଙ୍ଗ କବିର ଯେକି କଳିପୁରାଣ ରଚନା କରିଥିଲେ। ଏହି ଗ୍ରାମରେ ୧୯୬୧ ମସିହାରେ ସ୍ୱର୍ଗତ ଉଦ୍ୟନାଥ ଉତ୍ତର କବାଟଙ୍କ ପ୍ରଚେଷ୍ଟାରେ ଏକ ସୁନାମଧନ୍ୟ ଚିକିତ୍ସାଳୟ ଗଢି ଉଠିଛି। ଏହି ଗ୍ରାମରେ ରଣପୁର ରାଜାଙ୍କ ଦ୍ଵାରା ଉପାଧି ପ୍ରାପ୍ତ ବଂଶଜ ରହିଛନ୍ତି। ଯେମିତି କି ୧୮୬୬ ମସିହାରେ ନ’ଙ୍କ ଦୃଭିକ୍ଷ କାଳରେ ସ୍ୱର୍ଗତ ଗଦାଧର ବିଶ୍ବାଳଙ୍କୁ ଉତ୍ତର କବାଟ ଉପାଧି ଦିଆଯାଇଛି। ଅଦ୍ୟାବଧି ଏହି ବଂଶର ସୁଦାୟାଦ ଶିକ୍ଷକ ସୁସାହିତ୍ୟିକ ଓ ମଞ୍ଚନାଟ୍ୟ ନିର୍ଦ୍ଦେଶକ ବସନ୍ତ କୁମାର ଉତ୍ତର କବାଟ ଅଛନ୍ତି। ଉକ୍ତ ଗ୍ରାମରେ ସ୍କୁଲ୍, କଲେଜ୍,ସି.ଟି ସ୍କୁଲ୍,ଆଇ ଟି ଆଇ ସ୍କୁଲ୍, ଗ୍ରାମ୍ୟ ବ୍ୟାଙ୍କ, ପଶୁ ଡାକ୍ତରଖାନା ଇତ୍ୟାଦି ଗଢିଉଠିଛି।
ଏହି ଗଡ଼ର ଦଳ ବେହେରା ବଂଶ ତାଲିକାରେ ଶେଷ ଭାଗରେ ଥିବା ବ୍ୟକ୍ତି ମାନେ ହେଲେ ଯଥା କ୍ଷତ୍ରିବର ଦଳବେହେରା,ରଘୁନାଥ ଛୋଟରାୟ,ଅନନ୍ତ ଛୋଟରାୟ, ଭ୍ରମର ଦଳ ବେହେରା, ପୁରୁଷୋତ୍ତମ ଛୋଟରାୟ ଓ ସୁଦର୍ଶନ ଛୋଟରାୟ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.