ସ୍ବର୍ଗତ ଚିରଞ୍ଜିତ୍ ରାଜଗୁରୁଙ୍କ ବିୟୋଗରେ ଜିଲ୍ଲା ୟୁଜେଏର ଶୋକସଭା ।

0 275

ଭଞ୍ଜନଗର,୨୫/୦୧(ପିପିଟି):  ଦୈନିକ ଖବରକାଗଜ ‘ସକାଳ’ର ବ୍ରହ୍ମପୁର ସଂସ୍କରଣରେ କାର୍ଯ୍ୟ କରୁଥିବା ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ଯାହାକୁ ନେଇ ସମଗ୍ର ସାମ୍ବାଦିକ ମହଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଭଞ୍ଜନଗର ଠାରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା ।ଏଥିରେ ୟୁଜେଏ ଭଞ୍ଜନଗର ବ୍ଲକ ସଭାପତି ପ୍ରଦୀପ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଅନୀଲ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ପାତ୍ର, ଜିଲ୍ଲା ସମ୍ପାଦକ ତଥା ‘ସକାଳ’ର ଭଞ୍ଜନଗର ଉପଖଣ୍ଡ ପ୍ରତିନିଧି ଜୟକୃଷ୍ଣ ପଟ୍ଟନାୟକ ଓ ସମାଜସେବୀ ଶୂଳପାଣି ଶତପଥୀ ମଞ୍ଚରେ ଉପସ୍ଥିତ ଥିଲେ। ସ୍ବର୍ଗତ ରାଜଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ସେ ଜଣେ ମେଳାପୀ, ମିଷ୍ଠଭାଷି ଓ ପରୋପକାରୀ ମଣିଷ ଥିଲେ ବୋଲି ଅତିଥିମାନେ କହିଥିଲେ। ସେହିପରି ସକାଳ ପରିବାର ଜଣେ ବରିଷ୍ଠ, କର୍ତ୍ତବ୍ୟନିଷ୍ଠ ସାମ୍ବାଦିକଙ୍କୁ ହରେଇଲା। ବିଭିନ୍ନ ଘଟଣାକୁ ଲୋକ ଲୋଚନକୁ ଆଣି ତାହାର ସମାଧାନ କରିବାରେ ଚିରଞ୍ଜିତ୍ ବାବୁ ସିଦ୍ଧହସ୍ତ ଥିଲେ ତେଣୁ ତାଙ୍କର ଅକାଳ ବିୟୋଗ ଏକ ଶୂନ୍ୟସ୍ଥାନ ହୋଇ ରହିବ ବୋଲି ଭଞ୍ଜନଗର ପ୍ରତିନିଧି ଶ୍ରୀ ପଟ୍ଟନାୟକ କହିଥିଲେ।ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ବର୍ଗତ ରାଜଗୁରୁଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ୟୁଜେଏ ସୋରଡ଼ା ବ୍ଲକ ସଭାପତି ରାଜେଶ କୁମାର ସାହୁ,ଆସିକା ବ୍ଲକ ସଭାପତି କ୍ଷୀରୋଦ ଚନ୍ଦ୍ର ବେହେରା, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଚନ୍ଦ୍ରକେତୁ ରାଉତଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସଦସ୍ୟମାନେ ଉପସ୍ଥିତ ରହି ଅମର ଆତ୍ମାର ସଦଗତି କାମନା କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.