ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ଓ ଫକୀର ମୋହନଙ୍କ ଜୟନ୍ତୀ ପାଳିତ ।

0 241

ମାଲକାନଗିରି,୧୪/୦୧(ପିପିଟି):ବ୍ୟାସକବି ସାହିତ୍ୟ ସଂସଦ, ଗୋଡ଼ିଶୂଳ, ନୀଳଗିରି, ବାଲେଶ୍ଵର ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠା ଦିବସ ଓ ବ୍ୟାସକବି ଫକୀର ମୋହନଙ୍କ ଜୟନ୍ତୀ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ପାଳିତ ହୋଇଯାଇଛି। ଉକ୍ତ ସାହିତ୍ୟ ସଭାରେ ଫକୀର ମୋହନଙ୍କ ଜୀବନୀ ଶୀର୍ଷକ ଏକ ଆଲୋଚନା ଚକ୍ର ସହ ସ୍ଵରଚିତ କବିତା ଆସର, ଓ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ଵାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଅଧ୍ଯାପକ ସରୋଜ କୁମାର ଦାଶ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟଅତିଥି ଭାବେ ଅଧ୍ୟାପକ ନିରଞ୍ଜନ ସ୍ୱାଇଁ, ଡାରୱିନ୍ ସ୍ମାରକୀ କନିଷ୍ଠ ମହାବିଦ୍ୟାଳୟ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି ସଭାପତି କବି କେଶବ ଚନ୍ଦ୍ର ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ବ୍ୟାସକବି ସାହିତ୍ୟ ସଂସଦର ଉପ ସଭାପତି କବି କରୁଣାକର ମଲ୍ଲିକ, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁଡୁମୁଲୁଗୁମ୍ମା ଅଞ୍ଜନ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ବ୍ୟାସକବି ସାହିତ୍ୟ ସଂସଦର ଉପସଭାପତି କବି ଗୋଦାବରିଶ ଦାସ ଓ ବ୍ୟାସକବି ସାହିତ୍ୟ ସଂସଦ ଉପଦେଷ୍ଟା କବି ସାରଦା ପ୍ରସାଦ ସିଂହ, ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ନୀଳକଣ୍ଠ ବେହେରା ଯୋଗଦେଇ ଫକୀର ମୋହନଙ୍କ ଜୀବନୀକୁ ଆଲୋଚନା କରିଥିଲେ। ମୁଖ୍ୟବକ୍ତା କେଶବ ଚନ୍ଦ୍ର ନାୟକ କହଲେ ଯେ ଆଜି ମାଲକାନଗିରି ଜିଲ୍ଲାରେ ଓଡିଆ ଭାଷା ଏକ ସଂକଟ ଦେଇଗତି କରୁଛି,ଏହାର ସୁରକ୍ଷା ପାଇଁ ସାହିତ୍ୟ ସଂଗଠର ଭୂମିକା ଅତି ପ୍ରଶଂସନୀୟ।ଓଡିଶାର ପ୍ରାନ୍ତୀୟ ଜିଲ୍ଲାଗୁଡିକରେ ଆଜି ଓଡିଆ ଭାଷା ଦୟନୀୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଏଥି ପ୍ରତି ଓଡିଶା ସରକାରଙ୍କ ଆନ୍ତିରକତା ଅଭାବ ରୁ ପଡୋଶୀ ରାଜ୍ଯର ଭାଷା ପ୍ରଚଳନ ସହ ସୀମା ବିବାଦ ଦେଖା ଦେଇଛି। କୋରାପୁଟ ର କୋଟିଆ ଏହାର ଚାକ୍ଷୁଷ ପ୍ରମାଣ। ଏଣୁ ରାଜ୍ଯ ସରକାରଙ୍କ ଓଡିଆ ଭାଷା କୁ ଯଦି ଅଧିକ ପ୍ରଚାର ପ୍ରସାର ଦିଗରେ ଗୁରୁତ୍ବ ପ୍ରଦାନ ନକରନ୍ତି, ତେବେ ଆଗକୁ ଏହା ଜଟିଳ ରୂପ ଧାରଣ କରିବ ବୋଲି ଶ୍ରୀ ନାୟକ କହିଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଉପସ୍ଥିତ କବି କବୟିତ୍ରୀମାନେ ସ୍ଵରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନ ତରଫରୁ ବ୍ୟାସକବି ସାହିତ୍ୟ ସଂସଦ, ମାଲକାନଗିରି ଜିଲ୍ଲା ଶାଖାର ସଭାପତି କବି ଦୀପକ୍ କୁମାର ବଳଙ୍କୁ ବାଣୀପୁତ୍ର ସମ୍ମାନ ଓ ସମ୍ପାଦକ କବି ଗୋପବନ୍ଧୁ ମିଶ୍ରଙ୍କୁ ସାରସ୍ଵତ ସାଧନା ସମ୍ମାନ, କବି ମହାଦେବ ମାଡକାମିଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା। ସଙ୍ଗୀତ,ବକ୍ତୃତା, ରଚନା, ଚିତ୍ରାଙ୍କନରେ ଅଂଶ ଗ୍ରହଣ କରିଥିବା କୃତ୍ତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ବାରା ମାନପତ୍ର ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସଂଗଠନ ସମ୍ପାଦକ କବି ପ୍ରଦୀପ ସରକାର ସଂଯୋଜନା କରିଥିଲେ। ଓଡ଼ିଶାର ଉଭୟ ପ୍ରାନ୍ତ ବାଲେଶ୍ଵର ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ଦିନରେ କାର୍ଯ୍ୟକ୍ରମ କରି ଅନୁଷ୍ଠାନ ଏକ ନିଆରା ପରମ୍ପରା ସୃଷ୍ଟି କରିଥିଲା।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.