ଭଞ୍ଜନଗର,୧୧/୦୧(ପିପିଟି): ଓଡ଼ିଶାରେ ଚଳିତ ବର୍ଷ ପୁରୁଷ ବିଶ୍ୱକପ ହକିର ଆୟୋଜନ କରାଯାଇଛି। ଆଜି ତାର ଉଦ୍ଘାଟନ ଉତ୍ସବ କଟକ ବାରବାଟୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଭଞ୍ଜନଗର ସହର ମଧ୍ୟରେ ଥିବା ଜେଲ ପଡିଆ ଠାରେ ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ବଡ ପରଦା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଭଞ୍ଜନଗର ଏନ୍ଏସି ପକ୍ଷରୁ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମାଜ ସେଵୀ ଶୁଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଵିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନସିଲର ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ। ଭଞ୍ଜନଗର ଏନ୍ଏସିର ୧୦ଟି ସ୍ଥାନରେ ଓ ବ୍ଲକର ବହୁ ପଞ୍ଚାୟତରେ ଅନେକ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବଡ଼ ପରଦାରେ ଦେଖିବାର ସୁଯୋଗ ପାଇଥିଲେ।
(ରିପୋର୍ଟ-ଜେକେ ପଟ୍ଟନାୟକ। )