ମାଲକାନଗିରି ବନଖଣ୍ଡରେ ୧୪,୨୩୦ ପକ୍ଷୀ ଗଣନା;୪୪ ପ୍ରଜାତି ଏବଂ ୩୨ ବିଦେଶାଗତ ।

0 151

ମାଲକାନଗିରି,୧୧/୦୧(ପିପିଟି): ପ୍ରତି ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଜଳଚର ପକ୍ଷୀ ଗଣନା ବନ ବିଭାଗ ତରଫରୁ କରାଯାଇଥାଏ। ସେହି ପରି ମାଲକାନଗିରି ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟ ବର୍ତ୍ତମାନ ସମାପ୍ତ ହୋଇଯାଇଛି। ଚଳିତ ଜାନୁଆରୀ ମାସରେ ୯ ଗୋଟି ସ୍ଥାନରେ ୧୦ ଗୋଟି ବନ କର୍ମଚାରୀ ଦଳକୁ ନେଇ ପକ୍ଷୀ ଗଣନା କାର୍ଯ୍ଯ ସଂପନ୍ନ କରାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ବନଖଣ୍ଡରେ ମୋଟ ୧୪, ୨୩୦ ପକ୍ଷୀ ଗଣନା କରାଯାଇଥିଲା ବେଳେ ୪୪ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଛି। ସେଥି ମଧ୍ଯରୁ ୩୨ ପ୍ରଜାତିର ପକ୍ଷୀ ବିଦେଶାଗତ ବୋଲି ଚିହ୍ନଟ ଯାଇଛି। ମାଲକାନଗିରି ବନାଞ୍ଚଳର ସତୀଗୁଡା ବନ୍ଧ, ମାଥିଲି ବନାଞ୍ଚଳର ଶିବନାଞ୍ଚ ଏବଂ ବାଲିମେଳା ମାଟି ବନ୍ଧରେ ସର୍ବାଧିକ ବିଦେଶାଗତ ପକ୍ଷୀ ଦୃଷ୍ଟିଗୋଚର ହୋଇଯାଇଛି। ଏମାନଙ୍କ ସୁରକ୍ଷା ଲାଗି ବନ ବିଭାଗ ଅଧିକ ସତର୍କତା ଅବଲମ୍ବନ କରିଛି। ପକ୍ଷୀ ଗଣନା ପାଇଁ ଜାନୁଆରୀ ୨ ତାରିଖରୁ ପ୍ରସ୍ତୁତି ଚାଲିଥିବା ବେଳେ କ୍ଷେତ୍ର କର୍ମଚାରୀମାନଙ୍କୁ ବନ୍ଯପ୍ରାଣୀ ବିଶେଷଜ୍ଞ ଡଃ ନିମାଇଁ ଚରଣ ପଲାଇ ଏବଂ ଶ୍ରୀଭକ୍ତ ପଦାରବିନ୍ଦ ତାମିଲ ପ୍ରଦାନ କରି ଥିଲେ। ପକ୍ଷୀ ଗଣନାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟ୍ଟାପଲ୍ଲୀ ଏବଂ ସହକାରୀ ବନ ସଂରକ୍ଷକ କନ୍ଦନ ସିଂ ପରାମର୍ଶ ପ୍ରଦାନ କରି ଥିଲେ। ଏହି ଗଣନାରେ ମାଲକାନଗିରି ବନଖଣ୍ଡରେ ଥିବା ସମସ୍ତ ବନାଞ୍ଚଳ ଅଧିକାରୀ, ବନାପାଳ ବନରକ୍ଷୀମାନେ ସୁଚାର ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରକାଶ ଥାଉକି, ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ମାଲକାନଗିରି ବନଖଣ୍ଡରେ ୧୦,୧୦୪ ପକ୍ଷୀ ଗଣନା କରାଯାଇଥିଲା ଏବଂ ୪୩ ପ୍ରଜାତି ର ପକ୍ଷୀ ଦେଖିବାକୁ ମିଳିଥିଲା।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.