ମାଲକାନଗିରି,୦୪/୦୧(ପିପିଟି):ଆଜି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କ୍ରୀଡ଼ା ପ୍ରତିଯୋଗୀତାର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଲକାନଗିରି ଅଧ୍ୟକ୍ଷ ଆଡମା ରାବା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। ମଣିଷ ଜୀବନରେ କ୍ରିୟାଶୀଳ ହେବା ସହ ନୂତନ ଜ୍ଞାନକୌଶଳକୁ ଆପଣେଇବା ଦରକାର। ତତ୍ ସହିତ କ୍ରୀଡାବିତମାନଙ୍କୁ ନୂତନ କୀର୍ତ୍ତିମାନ ସ୍ଥାପନ କରି ଜିଲ୍ଲା ତଥା ରାଜ୍ୟର ଟେକ ରଖିବାକୁ ଶ୍ରୀ ରାବା ଉତ୍ସାହିତ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ, ଉପ ଜିଲ୍ଲାପାଳ,ଅକ୍ଷୟ ଖେମୁଣ୍ଡୁ ,ପ୍ରକଳ୍ପ ପ୍ରଶାସକ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ତ୍ରିନାଥ ମାଝୀ, ଡିପିଏମ୍ , ଓଏଲ୍ଏମ୍, ପବିତ୍ର ମୋହନ ବାରା, ନିୟୋଜନ ଅଧିକାରୀ, ମନସ୍ବୀ ସେଠୀ ମଞ୍ଚରେ ଉପସ୍ଥିତ ଥିଲେ। କ୍ରୀଡାବିତମାନଙ୍କୁ ନିଜ ଭିତରେ ଥିବା ଦକ୍ଷତାକୁ ସଂପୂର୍ଣ୍ଣ ଭାବେ ଉପଯୋଗ କରିବାକୁ ଅତିଥିମାନେ ଅନୁପ୍ରାଣିତ କରିଥିଲେ । ଏହି ଜିଲ୍ଲା ସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ରେ ବ୍ଲକ୍, ପୌର ପରିଷଦ ଓ ଏନ୍ଏସି ରୁ ୭୦୦ ଜଣ ଭାଗ ନେଇଛନ୍ତି। ଜାନୁୟାରୀ ୪,୫ ଓ ୬ ତିନି ଦିନ ଧରି ଏହା ଚାଲିବ। ରାମ ମନ୍ଦିର ଠାରୁ ଏକ ମଶାଲ ଷ୍ଟାଡିୟମ୍ ପରିସରକୁ ଅଣାଯାଇଥିଲା। ତାପରେ ମୁଖ୍ୟ ଅତିଥି କ୍ରୀଡ଼ା ପତାକାକୁ ଉତ୍ତୋଳନ ସହ କ୍ରୀଡ଼ା ଶପଥ ପାଠ କରାଇଥିଲେ। ଆଜି ମହିଳା ମାନଙ୍କର ୪୦୦ ମିଟରର ଏକ ଦୌଡ ପ୍ରତିଯୋଗୀତା ଆୟୋଜନ ହୋଇଯାଇଛି। ସେହିପରି ସରକାରୀ ଅଧିକାରୀ ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଦୌଡ଼ି ଟଣା କ୍ରୀଡ଼ାର ଅୟୋଜନ ହୋଇଥିଲା। ଜିଲ୍ଲା କ୍ରୀଡା ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗୀତା ଆୟୋଜନ ହୋଇଯାଇଛି। ଏହାକୁ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ପରିଚାଳନା କରିଥିଲେ। ସହାୟକ ଜିଲ୍ଲପାଳ, ରାଜସ୍ବ ସାଗରିକା ସାହୁ, ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁଙ୍କ ସମେତ ଜିଲ୍ଲାର କ୍ରୀଡ଼ା ଶିକ୍ଷକ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)