ମାଲକାନଗିରି,୨୯/୧୨(ପିପିଟି):ମାଲକାନଗିରି ଜିଲ୍ଲା ଗଙ୍ଗଲା ପଞ୍ଚାୟତ ପେଦାବେଡା ଗାଁରେ କୁକୁଡ଼ା ଲଢେଇ ଖେଳ ଚାଲିଥିବା ବେଳେ ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପକ୍ଷରୁ ଗାଲି ଉପରେ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିବା ସହ ୩ ଟି ଗଞ୍ଜା, କିଛି ଲଢେଇରେ ବ୍ୟବହୃତ ଛୁରୀ ଜବତ କରିଛି ମାଲକାନଗିରି ପୋଲିସ। ଏହି ଗାଁରେ ଆଦିବାସୀ ପରମ୍ପରା ନାମରେ କୁକୁଡ଼ା ଗାଲି (ଗଞ୍ଜା ଲଢେଇ)ରେ ଲକ୍ଷାଧିକ ଟଙ୍କା ବାଜି ଲଗାଇ ଆଦିବାସୀ ଲୋକେ ଆର୍ଥିକ ଦୁର୍ବଳ ହେଉଥିବା ବେଳେ ଏହାକୁ ପୂର୍ବରୁ ଅନେକ ଥର ବିରୋଧ କରାଯାଉଥିଲା। ମାଲକାନଗିରି ଆଦର୍ଶ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସିପେକ୍ଟର ପି.କେ ସାବତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୋଲିସ ଦଳ ଗତକାଲି ସନ୍ଧ୍ୟାରେ ଗାଁ’ର ଶେଷ ମୁଣ୍ଡରେ ହେଉଥିବା କୁକୁଡ଼ା ଗାଲି ଉପରେ ଚଢ଼ାଉ କରିଥିଲେ। ସେହି ଗାଲିରୁ ଅନେକ ଲୋକେ ଉପସ୍ଥିତ ଥିଲେ, ପୋଲିସ ଚଢଉ ଦେଖି ସେମାନେ ଧାଇଁ ପଳାଇ ଥିବା ବେଳେ ୩ଟି ଲଢୁଆ ଗଞ୍ଜା, କିଛି କୁକୁଡା ଗୋଡରେ ବନ୍ଧା ଛୁରୀ ସହିତ ୨ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ପେଦାବେଢା ଗ୍ରାମର ଗଙ୍ଗାଧର ମାଡ଼କାମି(୩୭), ବ୍ରଜ କିଶୋର ବିଶୋଇ(୩୬) । ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post