ଜିଲ୍ଲାରେ ବିଶ୍ଵକପ୍ ହକି ଟ୍ରଫି ପରିକ୍ରମା ଓ ମାଲ୍ୟବନ୍ତ ମହୋତ୍ସବରେ କ୍ରୀଡା ପ୍ରତିଯୋଗିତା ନେଇ ବୈଠକ ।

0 265

ମାଲକାନଗିରି,୦୯/୧୨(ପିପିଟି): ବିଶ୍ଵ କପ୍ ହକି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଗୁଡ଼ିକୁ ଆଡମ୍ବର ସହକାରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ସାରା ରାଜ୍ୟରେ ବିଶ୍ଵ କପ୍ ହକି ଟ୍ରଫି ପରିକ୍ରମା କରିବ । ମାଲକାନଗିରି ଜିଲ୍ଲାରେ ଚଳିତ ମାସ ୩୦ ଡିସେମ୍ବରରେ ଏହି ଟ୍ରଫି ପହଞ୍ଚିବ। ଏହାକୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ବାଗତ ଜଣାଇବା ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ ଅଧ୍ୟକ୍ଷତା କରି କହିଛନ୍ତି ଯେ ଜିଲ୍ଲାରେ ବିଶ୍ଵ କପ୍ ହକି ଟ୍ରଫିକୁ ଭବ୍ୟ ସମ୍ବର୍ଦ୍ଧନା ପାଇଁ ସମସ୍ତ ପଦକ୍ଷେପ ନିଆଯିବ। ଏଣୁ ସୁଚାରୁ ରୂପେ ସମସ୍ତ କ୍ଷେତ୍ର ଅଧିକାରୀ ନ୍ୟସ୍ତ ଦାୟିତ୍ଵକୁ ତୁଲାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ଵ କପ୍ ହକି ଟ୍ରଫି ପରିକ୍ରମା ସମୟରେ ସହରରେ ଶୋଭାଯାତ୍ରା ସହ ଷ୍ଟାଡିୟମଠାରେ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ ।
ସେହିପରି ମାଲ୍ୟବନ୍ତ ମହୋତ୍ସବରେ ଜିଲ୍ଲାରେ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ ନେଇ ମଧ୍ୟ ଏଠାରେ ଆଲୋଚନା କରାଯାଇଛି। ଜିଲ୍ଲା ସ୍ତରରେ ଆସନ୍ତା ଜାନୁଆରି ୪,୫ ଓ ୬ ତାରିଖରେ କ୍ରୀଡ଼ା ପ୍ରତିଯୋଗୀତା ଆୟୋଜନ ହେବ ବୋଲି କୁହାଯାଇଛି । ସେହିପରି ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବର ଅନ୍ୟତମ ସ୍ବତନ୍ତ୍ର ଆକର୍ଷଣ ରହିବ ଘୋଡ଼ା ଦୌଡ଼। ଏହିପରି ସ୍ବତନ୍ତ୍ର ପ୍ରତିଯୋଗୀତା ଆୟୋଜନ କରି ରାଜ୍ୟରେ ମାଲକାନଗିରି ଜିଲ୍ଲା ଏକ ଅନନ୍ୟ ପରିଚୟ ସୃଷ୍ଟି କରିବ ବୋଲି ମଧ୍ୟ ଏଠାରେ ଉପସ୍ଥିତ ସଦସ୍ୟ ମାନେ ମତ ଦେଇଛନ୍ତି । ଆସନ୍ତା ଜାନୁଆରୀ ୭ ତାରିଖରେ ଚିତ୍ରକୋଣ୍ଡାଠାରେ ଏହା ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକକୁ ଭାରପ୍ରାପ୍ତ କ୍ରୀଡା ଅଧିକାରୀ ଶ୍ରୀ ଧୃବ ଚରଣ ମୁଦୁଲି ପରିଚାଳନା କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ର ଅଧିକାରୀ ଓ କ୍ରୀଡ଼ା ପ୍ରଶିକ୍ଷକ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.