ବୋଲଗଡ଼,୦୩/୧୧(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପାଟବଂନ୍ଧ ଓ କୃଷ୍ଣପୁରୁ ସଂଲଗ୍ନ ମୌଜାର ମଣ୍ଡନଗିରି ହେଉଛି ବହୁ ପ୍ରାଚୀନ ରଘୁନାଥଙ୍କର ବିଜେସ୍ତଳୀ । କାହିଁ କେଉଁ କାଳରୁ ରହିଆସିଛି ଏହି ମନ୍ଦିର । ପ୍ରକୃତି ରାଣୀ ସଜାଈ ଦେଇଛି ଏହି ମନୋରମ ପର୍ବତମାଳା, ଝରଣାର କୁଳୁକୁଳୁ ନାଦ । ଚଢେଇର କିଚିରିମିଚିରି ଶବ୍ଦ। ଶ୍ରଦ୍ଧାଳୁଭକ୍ତ ମାନଙ୍କର ମାନସିକ ପୂରଣ ହେବା ର ସଂପୁର୍ଣ ଆଶା ଓ ବିଶ୍ୱାସର ପ୍ରତୀକ ଏହି ପୀଠ । ଆଶ୍ଚର୍ଯ୍ୟର କଥା ହେଉଛି ପାହାଡ ଉପରେ ଥିବା ପୋଖରୀ ଯାହାକି ସମୁଦ୍ର ପତନ ଠାରୁ ୧୨୪୦ଫୁଟ ଉଚ୍ଚରେ ଥାଇ ମଧ୍ୟ ସାରା ବର୍ଷ ଜଳ ପରିପୂର୍ଣ୍ଣ ହୋଇ ରହିଥାଏ,ତତସହିତ ସେତ୍ୱପଦ୍ମ ପୁଷ୍ପ ସାରା ବର୍ଷଫୁଟିଥାଏ ଯାହାକୀ ରଘୁନାଥଙ୍କ ପୂଜା ପାଇଁ ଲାଗି ହୋଇ ଥାଏ। କଥିତ ଅଛି ବହୁବର୍ଷ ପୂର୍ବେ ବଜ୍ରପାତ ହେତୁ ଏହି ପୁଷ୍କରିଣୀ ଟି ସୃଷ୍ଟି ହୋଇଥିଲା । ସେଇଥିପାଇଁ ବାରମାସ ଯାକ ଶହଶହ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଯାଏ । ମନ୍ଦିରର ପୂର୍ବ ପାର୍ଶ୍ୱ ରେ ଠାକୁରଙ୍କର ପାଦଚିହ୍ନ ବିଚାରସ୍ତଳି,କାସିଆକପିଳା ପାହାଡ, ଭିମ ଙ୍କର ଆଣ୍ଠୁ ଚିହ୍ନ ଓ ବାଘଗୁମ୍ଫା ଏଭଳି ବିଭିନ୍ନ କିମ୍ବଦନ୍ତୀ ଦେଖିବାକୁ ମିଳେ । ଆଧୁନିକ ଯୁଗରେ ସେଲ୍ଫି ନେବାପାଇଁ ବହୁବର୍ଗଙ୍କ ପେଣ୍ଠସ୍ଥଳୀ ପାଲଟିଛି ମୁଣ୍ଡିଆପଡାର ଏହି ପ୍ରାକୃତିକ ପରିବେଶ । ଏହି ମଣ୍ଡନଗିରି ପର୍ବତମାଳା ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଏଠାରେ ବହୁ ସମସ୍ୟା ଦେଖିବାକୁ ମିଳିଛି ଏହିପରି ସମସ୍ୟା ଗୁଡିକ ମଧ୍ୟରେ ଗମନା ଗମନ,ପାନୀୟଜଳ,ବିଜୁଳୀ ମୁଖ୍ୟ ସମସ୍ୟା ରୁପରେ ରହିଛି । ଏହି ସମସ୍ୟା ଗୁଡିକପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣରେ ଦାବି କରିଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)