ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ ପକ୍ଷରୁ ରାଜଧାନୀରେ ବିଶାଳ ଗଣ ବିକ୍ଷୋଭ ।

0 416

ଭୁବନେଶ୍ୱର,୦୨/୧୨: ମେକ୍ ଇନ୍ ଓଡିଶା ନୁହେଁ , ଏହା ଲୁଟ୍ ଅଫ୍ ଓଡିଶା ଏବଂ ଓଡିଶାର ବିନାଶ ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରି ଆଜି ‘ମେକ୍ ଇନ୍ ଓଡିଶା କନକ୍ଲେଭ୍’ ବିରୋଧରେ ଜନ ଆନ୍ଦୋଳନ ମାନଙ୍କର ଏକ ବିଶାଳ ବିକ୍ଷୋଭ ଓଡ଼ିଶା ବିଧାନସଭା ସମ୍ମୁଖରେ ଆୟୋଜିତ ହୋଇଯାଇଛି । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଲିଙ୍ଗରାଜ ଆଜାଦ୍, ଦଧି ପୁସିକା, ନରେନ୍ଦ୍ର ମହାନ୍ତି, ବ୍ରିଟିଶ୍ କୁମାର, ଶାନ୍ତି ଦାସ, ବିଜୟ ଖିଲୋ, ଲସ୍କେ ସିକକା, ଧନେଶ୍ଵର ମାଝୀ, ତିଲୋ ଗୁଞ୍ଜିଆ, ମହେଶ୍ୱର ମାଝୀ, ଲେନିନ୍ କୁମାର, ସତ୍ୟ ମାହାର, କାର୍ତ୍ତିକ ମାଝୀ, ଡ୍ରେଞ୍ଜୁ କୃସିକା, ତ୍ରିଲୋଚନ ମୁଦୁଲି ପ୍ରମୁଖ ଉଦବୋଧନ ଦେଇଥିଲେ। ସେଠାରୁ ସେମାନେ ଏକ ଶୋଭାଯାତ୍ରାରେ ଲୋହିଆ ଏକାଡେମୀ ପର୍ଯ୍ୟନ୍ତ ଆସିଥିଲେ ଓ ମେକ୍ ଇନ୍ ଓଡ଼ିଶା ନାମରେ ଓଡ଼ିଶାର ବିନାଶ ପାଇଁ ଯୋଜନା ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସେଠାରେ ଆୟୋଜିତ ସଭାରେ ଶପଥ ନେଇଥିଲେ ।

ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ୍ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ବିଭିନ୍ନ ଜନ ଆନ୍ଦୋଳନର ନେତୃବୃନ୍ଦଙ୍କ ସମେତ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, ଦାସିନନ୍ଦୀ ବାଲି,ବିବୁଲ୍ ଟପ୍ପୋ, ହେନାରାଣୀ ବାରିକ୍, ବାସୁଦେବ ଦାସ, ଅରୁଣ ଜେନା, ତପନ ମିଶ୍ର, ପ୍ରକାଶ ଜେନା,ବିଶ୍ୱପ୍ରୀୟ କାନୁନଗୋ ପ୍ରମୁଖ ଉଦବୋଧନ ଦେଇଥିଲେ।।

ସେମାନେ ଅଭିଯୋଗ କରିଥିଲେ ଯେ, ଆମ ରାଜ୍ୟ ଓଡିଶାରେ ହୀରାକୁଦ ଜଳଭଣ୍ଡାର ଠାରୁ ଆରମ୍ଭ କରି ରାଉରକେଲା ଷ୍ଟିଲ ପ୍ଳାଣ୍ଟ – କଳିଙ୍ଗନଗର ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ଓ ତା’ ପରବର୍ତ୍ତୀ ଖଣି ଖନନ ଓ ଶିଳ୍ପ ଦ୍ଵାରା ବିସ୍ଥାପିତ ଲୋକେ ସମ୍ମାନର ସହ ବଞ୍ଚିବାରୁ ବଞ୍ଚିତ ହୋଇଛନ୍ତି । ସେମାନେ ନିଜର ଜୀବିକା ହରାଇବା ସହ ନିଜର ଓ ନିଜ ସମାଜର ପରିଚୟ ମଧ୍ୟ ହରାଉଛନ୍ତି । ଏମାନଙ୍କ ମଧ୍ୟରେ ଆଦିବାସୀଙ୍କ ସଂଖ୍ୟା ସର୍ବାଧିକ । ଗତ ଦୁଇ ଦଶନ୍ଧି ମଧ୍ୟରେ ଗଣ୍ଡା ଗଣ୍ଡା ଷ୍ଟିଲ ପ୍ଳାଣ୍ଟ, ପାୱାର ପ୍ଳାଣ୍ଟ, ସିମେଣ୍ଟ ପ୍ଳାଣ୍ଟ, ଆଲୁମିନା ପ୍ଳାଣ୍ଟ, ବହୁ ପ୍ରଦୂଷଣକାରୀ ସ୍ପଞ୍ଜ ଆଇରନ ପ୍ଳାଣ୍ଟ ସହ ଲୁହାପଥର, ବକ୍ସାଇଟ, କ୍ରୋମ, କୋଇଲା ଓ ମାଙ୍ଗାନିଜ ଇତ୍ୟାଦି ଶତାଧିକ ଖଣି ଖନନ ହେବା ପରେ ମଧ୍ୟ ଓଡିଶା ଏକ ଗରିବ ରାଜ୍ୟ। ଏଠାରେ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ନାହିଁ । ଅନ୍ୟପଟରେ କୃଷି ଓ ଜଙ୍ଗଲରେ ବିନାଶ ଲୀଳା ଚାଲିବା ଦ୍ଵାରା ଲକ୍ଷଲକ୍ଷ କର୍ମହୀନ ଚାଷୀ, ଆଦିବାସୀ, ଦଳିତ ଆଜି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏପରି ଅବିଚାରିତ ଖଣି ଖନନ ଓ ଅନ୍ଧ ଶିଳ୍ପାୟନ ଦ୍ଵାରା ସମୁଦାୟ ଜଙ୍ଗଲ ଶେଷ ହୋଇଯାଉଛି । ନଦୀମାନଙ୍କ ଜଳ ଉତ୍ସ ମରିଯାଉଛି ଓ ଜଳ ପ୍ରଦୁଷିତ ହେବାରେ ଲାଗିଛି ।

ଏପରି ଜନ ବିରୋଧୀ ‘ବିକାଶ’ ନାମରେ ‘ବିନାଶ’ ଦ୍ଵାରା ନୂଆ ନୂଆ ଦାରିଦ୍ର୍ୟ ଅଞ୍ଚଳ ସୃଷ୍ଟି ହୋଇଛି, ଯେଉଁଠି ପ୍ରକୃତି ବିପର୍ଯ୍ୟସ୍ତ ହେବା ସହିତ ଅମାନବୀୟ ପରିବେଶ ସୃଷ୍ଟି ହୋଇଛି । ଦିନକୁ ଦିନ ଜଳବାୟୁରେ ପରିବର୍ତ୍ତନ ଘଟିବା ଦ୍ଵାରା ସଙ୍କଟ ବଢିବାରେ ଲାଗିଛି । ଏପରି ଏକ ଭୟାନକ ସ୍ଥିତିରେ ସରକାର ପୁଣି ପୁଞ୍ଜିନିବେଶକୁ ସ୍ଵାଗତ କରିବାକୁ ଅର୍ଥାତ୍ ଦେଶୀ ବିଦେଶୀ କମ୍ପାନୀମାନଙ୍କ ହାତରେ ଆମ ସୀମିତ ପ୍ରାକୃତିକ ସମ୍ପଦକୁ ଟେକି ଦେବାକୁ “ମେକ୍ ଇନ୍ ଓଡିଶା” ନାମରେ କମ୍ପାନୀମାନଙ୍କ ସହିତ ଉତ୍ସବ ପାଳନ କରୁଛନ୍ତି। ଏହାର ପରିଣାମରେ ଆସନ୍ତା ୨୦ ବର୍ଷ ମଧ୍ୟରେ ରାଜ୍ୟ ସମ୍ବଳହୀନ ହୋଇଯିବ ଏବଂ ଏକ କୋଟି ଆଦିବାସୀ–ପାରମ୍ପରିକ ବନବାସୀ ନିଜ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସୁରକ୍ଷା ହରାଇବା ସହ ବଞ୍ଚିବାର ବାଟ ହରାଇବେ। ଆଗାମୀ ଦିନରେ ବିସ୍ଥାପନ ସମସ୍ଯା ଘୋର ସଙ୍କଟ ସୃଷ୍ଟି କରିବା ସହ ମାନବିକ ଅଧିକାର ଓ ସାମ୍ବିଧାନିକ ଅଧିକାର ଅତି ମାତ୍ରାରେ କ୍ଷୁର୍ଣ୍ଣ କରିଚାଲିବ। କେବଳ କର୍ପୋରେଟ୍ ମୁନାଫା ପାଇଁ ଏହି “ମେକ୍ ଇନ୍ ଓଡିଶା” ଏକ ବିନାଶର ଖେଳ। ଏହାର ପ୍ରତିରୋଧ ଏକାନ୍ତ ଅନିବାର୍ଯ୍ୟ।

ପ୍ରକୃତିର ସୁରକ୍ଷା ବିଷୟ ତଥା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ଥିବା ଆଦିବାସୀ ସମାଜର ଅଧିକାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦାଘାତ୍ କରୁଛନ୍ତି । ଅତ୍ୟନ୍ତ ମୂଲ୍ଯବାନ ଖଣିଗୁଡିକୁ ଦୀର୍ଘକାଳୀନ ଲିଜ୍ ଦେଇ ଲୁଣ୍ଠନ କରିବା ପ୍ରକ୍ରିୟା ଏବେ ଆରମ୍ଭ ହୋଇଯାଇଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଜଙ୍ଗଲ ଆଇନ- ୨୦୦୬, ଜଙ୍ଗଲ ସଂରକ୍ଷଣ ଆଇନ, ପେସା ଆଇନକୁ ଉଲ୍ଲଂଘନ କରି ଗ୍ରାମସଭାର ବିନା ସମ୍ମତିରେ ପ୍ରାକୃତିକ ସମ୍ପଦକୁ ଖାଲି କରିବାରେ ଲାଗିଛନ୍ତି। ‘ମେକ୍ ଇନ୍ ଓଡିଶା’ କାର୍ଯ୍ୟକ୍ରମ ଦ୍ଵାରା ଏହି ଧ୍ଵଂସ ପ୍ରକ୍ରିୟା ଆହୁରି ତ୍ୱରାନ୍ୱିତ ହେବ। ପୁଞ୍ଜିବାଦୀ ବିକାଶ ନୀତି ଦ୍ଵାରା ନିୟନ୍ତ୍ରିତ ଏହି ସବୁ କାର୍ଯ୍ୟକ୍ରମ କେବଳ କର୍ପୋରେଟ୍ ମୁନାଫା ପାଇଁ କରାଯାଉଛି। ଖଣିରୁ ଏକ ଟଙ୍କା ରାଜସ୍ଵ ସରକାରଙ୍କୁ ମିଳିବା ବେଳେ ଶତାଧିକ ଟଙ୍କାର ମୁନାଫା କମ୍ପାନୀ ଓ ତା’ର ଦଲାଲ୍ ରାଜନେତାଙ୍କ ପାଖକୁ ଯାଉଛି। ବକ୍ସାଇଟ, ଲୁହା ପଥର ସମେତ ସମସ୍ତ ପ୍ରାକୃତିକ ସମ୍ପଦ ପାହାଡ଼ରେ ରହିବା ଅତ୍ୟନ୍ତ ଜରୁରୀ। ଜଳବାୟୁ ପରିବର୍ତ୍ତନ ଓ ଆଦିବାସୀ ଅଧିକାର ଲାଗି ଖଣି ଭିତ୍ତିକ ବିକାଶ ନୀତିକୁ ସମ୍ପୁର୍ଣ୍ଣ ପରିତ୍ୟାଗ କରିବା ଆବଶ୍ୟକ।

ରାୟଗଡା-କଳାହାଣ୍ଡି ଜିଲ୍ଲାରେ ‘ନିୟମଗିରି ସୁରକ୍ଷା ସମିତି’, ‘ଖଣ୍ଡୁଆଳ ମାଳୀ ସ୍ଥାୟୀ ସୁରକ୍ଷା ସମିତି’ କମ୍ପାନୀ ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜର ସଂଗ୍ରାମ ଜାରି ରଖିଛନ୍ତି। କୋରାପୁଟରେ ମାଳି ପର୍ବତର ୩୬ଟି ଚିରସ୍ରୋତା ଝରଣା ଦ୍ଵାରା ସୁରକ୍ଷିତ ଜଙ୍ଗଲ ଓ କୃଷିକୁ ଧ୍ୱଂସ ପାଇଁ ଉଦ୍ଦିଷ୍ଟ ବକ୍ସାଇଟ ଖଣି ଖନନକୁ ପ୍ରତିରୋଧ କରି ସେଠାରେ ସାଧାରଣ ଆଦିବାସୀ ‘ମାଳିପର୍ବତ ସୁରକ୍ଷା ସମିତି’ ଗଢି ସଂଗ୍ରାମ କରୁଛନ୍ତି । ଲକ୍ଷ୍ମୀପୁର କାଶିପୁର ଅଂଚଳରେ କୁଡିଙ୍ଗାମାଳି ମାଇନିଂ ନେଇ ପ୍ରତିବାଦ ତେଜୁଛି । ସୁନ୍ଦରଗଡ ଜିଲ୍ଲାରେ ଡାଲମିୟାର ୭୦ ବର୍ଷର ପ୍ରଦୂଷଣ ଓ ଖଣି ଖନନର ଶିକାର ହୋଇଥିବା ହଜାର ହଜାର ଆଦିବାସୀ ଏହାର ସଂପ୍ରସାରଣ ଆଳରେ ପୁନଃ ବିସ୍ଥାପନର ବିରୋଧ ଜାରି ରଖିଛନ୍ତି। ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳରେ ରକ୍ତମୁଖା ପୋଲିସ ଓ ଜିନ୍ଦଲ ପ୍ରାୟୋଜିତ ସରକାରୀ ଗୁଣ୍ଡାମାନଙ୍କ ଦ୍ଵାରା ଜନଗଣଙ୍କୁ ଦମନ, ଅତ୍ୟାଚାର ଓ ଗିରଫଦାରି ଚାଲୁ ରହିଛି । ବିନା ଗ୍ରାମସଭା ତଥା ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ ନକରି ଜବରଦସ୍ତ ଲୋକମତ ବିରୁଦ୍ଧରେ ଜିନ୍ଦଲ୍ କମ୍ପାନୀ ପାଇଁ ସମସ୍ତ ଆଇନ୍ କାନୁନକୁ ଜଳାଞ୍ଜଳି ଦେଇ ଲୋକଙ୍କୁ ନିଜ ଜୀବନ-ଜୀବିକାରୁ ବଞ୍ଚିତ କରାଯାଇଛି । ସେହିପରି ପୁରୀ ଜିଲ୍ଲା ସିପସରୁବାଲି ଅଞ୍ଚଳରେ ଭୂମି ଅଧିକାର ପାଇଁ ଲଢେଇ କରୁଥିବା ଲୋକଙ୍କ ଦଶନ୍ଧି ଦଶନ୍ଧିର ଦାବିକୁ ଅଣଦେଖା କରି ଏହି ଜମିକୁ ପର୍ଯ୍ୟଟନ ପ୍ରକଳ୍ପ, ବିମାନ ବନ୍ଦର ନାମରେ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ଟେକି ଦେବା ପାଇଁ ଷଡ଼ଯନ୍ତ୍ର ହେଉଛି।

ରାଜ୍ୟରେ ବିଭିନ୍ନ ସ୍ଥାନରେ ଜନ ବିରୋଧୀ ଓ ପରିବେଶ ବିରୋଧୀ ପ୍ରକଳ୍ପ ବିରୁଦ୍ଧରେ ଚାଲୁଥିବା ଏହି ସବୁ ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ସହିତ ଆନ୍ଦୋଳନକର୍ମୀ ଓ ନେତାମାନଙ୍କୁ ଜାତୀୟ ନିରାପତ୍ତା ଆଇନ୍, ୟୁଏପିଏ ଓ ଅନ୍ୟାନ୍ୟ ମିଛ କେଶ୍ ରେ ବର୍ଷ ବର୍ଷ ଧରି ବିନା ବିଚାରରେ ଜେଲରେ ଅଟକ ରଖାଯାଉଛି, ମିଛ ଏନକାଉଣ୍ଟର୍ କରି ମାରି ଦିଆଯାଉଛି ।

ଗୋଟିଏ ପଟେ ଓଡିଶା ସାଧବ ପୁଅ ବାଣିଜ୍ୟ ପାଇଁ ଦେଶ ବିଦେଶ ଯିବାର ଐତିହ୍ୟକୁ ମନେ ପକେଇବା ପାଇଁ ବାଲିଯାତ୍ରା ଆୟୋଜିତ ହେଉଥିବା ବେଳେ, ଅନ୍ୟପଟେ ‘ମେକ୍ ଇନ୍ ଓଡିଶା’ ଆଳରେ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ଆମନ୍ତ୍ରଣ ଏକ ବଡ଼ ବିରୋଧାଭାସ ପ୍ରଦର୍ଶନ କରୁଛି । ଏହା ସହରାଞ୍ଚଳର ଶ୍ରମୀଜୀବୀ ବର୍ଗ ଯଥା ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ସଂଖ୍ୟକ ବ୍ୟାପକ ଜନତାଙ୍କୁ ବେଘର କରିବା ଓ ଜୀଵିକାରୁ ବିସ୍ଥାପନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ଏବେ ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ରାଜପଥ ନିର୍ମାଣ ନାମରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ ହୋଇଯାଇଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟର ସମଗ୍ର ହେନ୍ତାଳ ବନ, ସାମୁଦ୍ରିକ ଜଙ୍ଗଲ ଓ ମତ୍ସ୍ୟ ସମ୍ପଦ ଲୋପ ପାଇଯିବ। ଲଗାତର ସାମୁଦ୍ରିକ ଝଡ ଓ ବାତ୍ୟା ଯୋଗୁ ଉପକୂଳ ଚାଷଜମି ଓ ବାସସ୍ଥାନ ଉଜୁଡିଯିବ। ବନ୍ଦର, ପେଟ୍ରୋକେମିକାଲ କମ୍ପ୍ଲେକ୍ସ୍ ନାମରେ ସାମୁଦ୍ରିକ ଜୈବ ବିବିଧତା, ସ୍ଥାନୀୟବାସୀଙ୍କ ଜୀବିକା ଓ ଜଳବାୟୁ ସଙ୍କଟର ପ୍ରତିକାର ପାଇଁ ଥିବା ପ୍ରାକୃତିକ ସମ୍ପଦ ଗୁଡିକୁ ବିକାଶ ନାମରେ ବିନାଶ କରାଯିବାକୁ ଉପକୂଳବାସୀ ଚାହାଁନ୍ତି ନାହିଁ ।

ଗତ ଦୁଇ ଦଶକ ମଧ୍ୟରେ କାଶୀପୁର ଓ କଳିଙ୍ଗ ନଗରରେ ଶିଳ୍ପ ଓ ଖଣି ପାଇଁ ୧୬ ଜଣ ଶହୀଦ ହୋଇଛନ୍ତି। ଏହି ରକ୍ତମୁଖା ବିକାଶ ପ୍ରକ୍ରିୟା ଆଗାମୀ ଦିନରେ ରାଜ୍ୟର ଆଦିବାସୀ ଅସ୍ମିତା ଓ କୃଷି ଅର୍ଥନୀତିକୁ ଅପୂରଣୀୟ କ୍ଷତି ପହଞ୍ଚାଇବା ସହ ଅନେକ ନୂତନ ଦାରିଦ୍ର୍ଯ ଅଞ୍ଚଳ ସୃଷ୍ଟି କରିବ। ଏହା କାର୍ଯ୍ୟକାରୀ ହେଲେ ଶୋଷଣ ବଢିବ ଏବଂ ଲକ୍ଷ ଲକ୍ଷ ଗ୍ରାମବାସୀ ଅକାଳ ଓ ଭୋକର ଶିକାର ହେବେ ।

ଏହି ପରିପ୍ରେକ୍ଷୀରେ ଆଦିବାସୀ ଓ ଅନୁସୂଚିତ ଜାତି, ଗାଁର ଚାଷୀ ତଥା କର୍ମହୀନ ଯୁବକ ଯୁବତୀଙ୍କ କର୍ମନିଯୁକ୍ତି ପାଇଁ ସର୍ବସାଧାରଣଙ୍କ ନ୍ଯୁନତମ ଆବଶ୍ୟକ ଆୟ, ପ୍ରତ୍ଯେକ ପରିବାର ପାଇଁ କୃଷି, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ , ଗ୍ରାମ୍ୟ କାରିଗରୀ, ହସ୍ତଶିଳ୍ପ ଓ ଲୁଗା ବୁଣା ଭଳି କୁଟୀର ଶିଳ୍ପରେ ଉନ୍ନତି ତଥା ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି, ପଞ୍ଚାୟତ ସ୍ତରରେ ଶିଳ୍ପାୟନ ପାଇଁ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ହିଁ ଆଜିର ଆହ୍ଵାନ ବୋଲି
ମତବ୍ୟକ୍ତ କରି ଜନବିରୋଧୀ ‘ମେକ୍ ଇନ୍ ଓଡିଶା କନକ୍ଲେଭ୍’ ତଥା ପୁଞ୍ଜିବାଦୀ ବିକାଶ ନୀତି ବିରୁଦ୍ଧରେ ଓ ସର୍ବୋପରି ଜଳ-ଜମି ଓ ଜଙ୍ଗଲ ସମେତ ସମସ୍ତ ପ୍ରାକୃତିକ ସମ୍ପଦର ଅବିଚାରିତ ଲୁଣ୍ଠନ ପ୍ରତିବାଦରେ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ରାଜ୍ୟପାଳଙ୍କୁ ମଞ୍ଚର ପ୍ରତିନିଧିମାନେ ମିଳିତ ଭାବେ ସ୍ମାରକପତ୍ର ପ୍ରଦାନ କରିଥିଲେ ଓ ସମ୍ବିଧାନର ପଞ୍ଚମ ଅନୁଚ୍ଛେଦରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର କ୍ଷମତାର ଉପଯୋଗ କରି ‘ମେକ୍ ଇନ୍ ଓଡ଼ିଶା’ ନାମରେ ଓଡିଶାର ଲୁଣ୍ଠନକୁ ରୋକିବାକୁ ନିବେଦନ କରିଥିଲେ ।

ବିସ୍ଥାପନ ବିରୋଧୀ ଜନ ଆନ୍ଦୋଳନ ମଞ୍ଚ, ଓଡ଼ିଶା ପକ୍ଷରୁ ନିୟମଗିରି ସୁରକ୍ଷା ସମିତି , ରାୟଗଡ଼ା-କଳାହାଣ୍ଡି
*ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି
*ମାଳି ପର୍ବତ ସୁରକ୍ଷା ସମିତି , କୋରାପୁଟ
*କୋଡିଙ୍ଗାମାଳୀ ସୁରକ୍ଷା ମଞ୍ଚ, ଲକ୍ଷ୍ମୀପୁର-କାଶିପୁର
*ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି – ପୁରୀ
*ଜିନ୍ଦଲ୍-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି -ଢିଙ୍କିଆ
*ବସ୍ତି ସୁରକ୍ଷା ମଞ୍ଚ, ଓଡିଶା
*ଗ୍ରାମସଭା କମିଟି, ରାଜଗାଂଗପୁର
*ଉପକୂଳ ଭିଟାମାଟି ସୁରକ୍ଷା ସମିତି, ବାଲିଆପାଳ,
*ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ, ବଲାଙ୍ଗୀର, ହାଲ୍ ବିସ୍ଥାପିତ ସଂଘ, ସୁନାବେଡ଼ା, ଖଡିମାଟି ସୁରକ୍ଷା ସମିତି, କୋରାପୁଟ ଇତ୍ୟାଦି ପ୍ରମୁଖ ସଂଗଠନ ଅଂଶଗ୍ରହଣ କରିଥିଲେ ଓ ଅନ୍ୟାନ୍ୟ ମାନବାଧିକାର ସଂଗଠନ ମାନେ ସେମାନଙ୍କ ନ୍ୟାୟ ସଙ୍ଗତ ଆନ୍ଦୋଳନକୁ ସଂହତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.