୧୨୭ଗ୍ରାମ ବ୍ରାଉନସୁଗର ଓ ୧୧ହଜାର ଟଙ୍କା ଜବତ, ମହିଳା କନେଷ୍ଟବଳର ମାଆ ଗିରଫ ।

0 399

ବ୍ରହ୍ମପୁର,୨୬/୦୯(ପିପିଟି): ଧଳା ଜହର କବଳରେ ରହିଛନ୍ତି ଯୁବପିଢ଼ି । ବ୍ରହ୍ମପୁର ସହରରେ ଦିନକୁ ଦିନ ଏହି ବ୍ରାଉନ ସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ମହିଳାଙ୍କ ନିକଟରୁ ୧୨୭ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଏହି ମହିଳା ଜଣକ ବ୍ରାଉନ ସୁଗର ଧରି ସିଟି ହସ୍ପିଟାଲ ରୋଡ଼ ଠାରେ ଛିଡ଼ା ହୋଇଥିବା ବେଳେ ଅବକାରୀ ଗୁଇନ୍ଦା ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ମହିଳାଙ୍କ ନିକଟରୁ ୧୨୭ ଗ୍ରାମ ବ୍ରାଉନ ସୁଗର ସହ ନଗଦ ୧୧ହଜାର ଟଙ୍କା ଜବତ କରାଯାଇଛି । ଗିରଫ ମହିଳା ଜଣଙ୍କ ହେଲେ ବ୍ରହ୍ମପୁର ଗେଟବଜାର ଛକର ସୁକାନ୍ତି ବେହେରା (୪୦) ବୋଲି ଜଣା ପଡିଛି । ସୁକାନ୍ତି ସିଟି ହସ୍ପିଟାଲ ରୋଡ଼ ଠାରେ ଫଳ ବିକ୍ରି କରୁଛନ୍ତି । ସେ ବ୍ରାଉନ ସୁଗର କାରବାରରେ ପୂର୍ବରୁ ଲିପ୍ତ ଥିବା ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ,ଆଜି ଫଳ ବ୍ୟବସାୟୀ ସୁକାନ୍ତି ବ୍ରାଉନ ସୁଗର ବିକ୍ରି କରିବାକୁ ଯାଉଥିବା ଖବର ମିଳିବା ପରେ ଅବକାରୀ ବିଭାଗର ଇନ୍ସପେକ୍ଟର ଗିତାଞ୍ଜଳୀ ସାହୁ ଅନ୍ୟ କର୍ମଚାରୀ ମିଶି ତା’ର ଗିତିବିଧି ଉପରେ ନଜର ରଖିଥିଲେ । ପରେ ତାଙ୍କୁ ସିଟି ହସ୍ପିଟାଲ ରୋଡ଼ ନିକଟରେ କାବୁ କରିଥିଲେ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୧୨୭ଗ୍ରାମ ବ୍ରାଉନ ସୁଗର ସହ ୧୧ ହଜାର ଟଙ୍କା ଜବତ କରିଥିଲେ । ଜବତ ବ୍ରାଉନ ସୁଗରର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ବିଭାଗର ଡେପୁଟି କମିଶନର ଅଶୋକ ଶତପଥି କହିଛନ୍ତି । ପୂର୍ବରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଦାବରୀଶ ନଗର ଦ୍ୱିତୀୟ ଲାଇନରୁ ସାଣ୍ଡି ଅଗ୍ରୱାଲକୁ ଗିରଫ କରି ତା’ ନିକଟରୁ ୧୧୨ ଗ୍ରାମ ବ୍ରାଉନ ସୁଗର ଏବଂ ଡୁରା ନିକଟରେ ଖାଜା ସାହିର ଏସକେ. ସମୀରଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର,ସିଲଭର ଫଏଲ ସହ ନଗଦ ୪୫ ହଜାର ଟଙ୍କା ଜବତ କରିଥିଲା । ଆଜି ଗିରଫ ହୋଇଥିବା ମହିଳା ଜଣକ ଜଣେ ମହିଳା କନେଷ୍ଟବଳଙ୍କ ମାଆ ବୋଲି ଜଣାପଡ଼ିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.