ମାଲକାନଗିରି,୨୫/୦୯(ପିପିଟି): ମାଲକାନଗିରି ଜିଲ୍ଲା ରକ୍ ଟକ୍ ଟିମ୍ ର ସଦସ୍ୟ ଓ କିଛି ଛାତ୍ରଛାତ୍ରୀ ଆଜି ପ୍ରକୃତି ସହ କିଛି ମୁହୂର୍ତ୍ତ କଟେଇବା ପାଇଁ ମା’ ତାରିଣୀ ମନ୍ଦିର ସମ୍ମୁଖ ଜଙ୍ଗଲ ଓ ପାହାଡ ଉପରଦେଇ ଚମ୍ପାଖାରୀ ଗ୍ରାମ ନିକଟ ବସ୍ତିରେ ପହଞ୍ଚି ଥିଲେ । ସକାଳ ୬ଟାରେ ଏହିଯାତ୍ରା ୨୮ ଜଣ ପର୍ବତାରୋହୀମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା । ଦ୍ୱିପହର ପ୍ରାୟ ୧.୪୫ ରେ ଏହି ଯାତ୍ରା ଚମ୍ପାଖାରୀରେ ଶେଷ ହୋଇଥିଲା । କେତେବେଳେ ଅଣ ଓସାରିଆ ରାସ୍ତା ତ କେତେବେଳେ ସୁଦୀର୍ଘ ପଥର ଚଟାଣ, ପୁଣି ଗୁମ୍ଫା ଭିତରେ ପ୍ରବେଶ କରି ସୁଉଚ୍ଚ ପଥର ଚଟାଣ ଉପରକୁ ପହଞ୍ଚିଥିଲା । ସେଠାରେ ନେଇଥିବା ଜାତୀୟ ପତକା ଉଡାଇବା ସହ କିଛି ଫୋଟ ମଧ୍ୟ ଉତ୍ତୋଳନ କରିଥିଲେ । ଏହା ପର୍ବତ ଆରୋହଣର ପ୍ରାଥମିକ ପ୍ରଶିକ୍ଷଣ ଥିଲା ବୋଲି ଆୟୋଜକ ଭାରତୀ ପାଢୀ କହିଛନ୍ତି । ଏହି ଟିମ୍ ରେ ମୀନକେତନ ସମରଥ (ଅଲ୍ ଇଣ୍ଡିଆ ମାଉଣ୍ଟେରିଆନ୍ ଏସ୍ପେଡିସନ୍) ଓ ଏନ୍.ସି.ସି (ୱାନ୍ ଓଡିଶା ଇନଫେଣ୍ଟ୍ରି କମ୍ପାନୀ)ର ବସନ୍ତ ମଣ୍ଡଲ୍, କେଶବ ହାଡଫୁଟିଆ, ଶିବ ବରଜା, ତାରେଶ୍ୱର ପୂଜାରୀ, କୁନାଲ୍ ବେଶରା ପ୍ରମୁଖ ସହଯୋଗ ଦେଇଥିଲେ । ମହିଳା ସଦସ୍ୟମାନଙ୍କ ମଧ୍ୟରେ ସବିତା କଚିମ୍, ଲକ୍ଷ୍ମୀ ମାଡକାମି, ଇସା ଘୋଷ, ଡଲି ମାହାତ୍ତ, ଭାରତୀ ବେଟି, ଗୀତାଞ୍ଜଳି ବୁରୁଦା, ସ୍ନେହା ସାହୁ, ପୂଜା, ପ୍ରିୟଙ୍କା ମାଢି, ସୁମିତ୍ରା ମାଢି, ରାଜକୁମାରୀ ମାଢି, ପିଙ୍କି ମାଡକାମି, ଦୀପିକା ମାଡକାମି, ରୂପାଲି ଡୁରୁକା, ଇନ୍ଦ୍ରାଣୀ ମଣ୍ଡଲ୍, ସବିତା ପୂଜାରୀ, ବିନତୀ ପଢିଆମି, ରୀତା ଦୁରୁଆ, ସୁଭଦ୍ରା ମାଛା, ରିମାରାଣି ସରକାର, ହୀରାମଣି ପ୍ରମୁଖ ସହଯାତ୍ରୀ ଥିଲେ । ଆଗାମୀ ଦିନରେ ଖଇରପୁଟ୍ ବ୍ଲକ୍ ବଣ୍ଡାଘାଟି ଅଞ୍ଚଳ ଯିବା ଓ ସେମାନଙ୍କ ସହ ଭାବ ବିନିମୟ କରିବା, ସେମାନଙ୍କ ପରମ୍ପରା, ସଂସ୍କୃତି ଓ ଦୈନନ୍ଦିନ ଜୀବନକୁ ନିକଟରୁ ଦେଖିବା ନିମନ୍ତେ ଏକ ପ୍ରୟାସ ଆଗାମୀ ସପ୍ତାହରେ ହେବ ବୋଲି ରକ୍ ଟକ୍ ଟିମ୍ ସମ୍ପାଦକ ରାମ କୃଷ୍ଣ ଚୌଧୁରୀ କହିଥିଲେ । ଜୀବ, ମଣିଷ ଓ ପରିବେଶ ପରସ୍ପର ନିର୍ଭରଶୀଳ, ବନ୍ୟ ଜୀବଜନ୍ତୁ ସଂରକ୍ଷଣ, ଜଙ୍ଗଲ ବଞ୍ଚାଅ ପ୍ରମୁଖ ବିଷୟକୁ ଜଙ୍ଗଲରେ ରହୁଥିବା ଲୋକଙ୍କ ନିକଟରେ ସଚେତନା ବାର୍ତ୍ତା ଦେବା ତଥା ସରକାର ଓ ଲୋକଙ୍କ ମଧ୍ୟରେ ସମ୍ପର୍କର ସେତୁଟିଏ ଯୋଡିବା ଏହି ଯାତ୍ରାର ମୂଳ ଲକ୍ଷ୍ଯ ବୋଲି ଶ୍ରୀଚୌଧୁରୀ ମତବ୍ଯକ୍ତ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)