ଜୀବିକା ମିଶନ ବାଟବଣା,ଚାଷୀ କରୁଛନ୍ତି ହତୋତ୍ସାହ।

0 287

ମାଲକାନଗିରି,୨୨/୦୭(ପିପିଟି):ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଗ୍ରାମବାସୀଙ୍କୁ ଭୁଆ ବୁଲାଊଛନ୍ତି ଓଡିଶା ଜୀବିକା ମିଶନ , ଯେଉଁଠି ଦୁର୍ନୀତି ଦୁର୍ଗନ୍ଧ ବାରି ହୋଇପାରୁଛି । ଏମିତି ଅଭିଯୋଗ ଆଣିଛନ୍ତି ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତର ଏମଭି-୧୦ ଗ୍ରାମର ଚାଷୀମାନେ । ଓଡିଶା ଜୀବିକା ମିଶନ ଦ୍ବାରା ଗ୍ରାମାଞ୍ଚଳର ଚାଷୀଙ୍କ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଅଛି ।କିଛି କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି ।ସୂଚନା ମୁତାବକ ମାଲକାନଗିରି ସଦର ବ୍ଲକ ସ୍ଥିତ ଗୌଡଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏମଭି-୧୦ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଚାଷୀଙ୍କୁ ଆର୍ଥିକ ମାନଦଣ୍ଡର ବିକାଶ ନିମନ୍ତେ ଏହି ଗ୍ରାମର କେତେଜଣ ଚାଷୀଙ୍କୁ ଚାଷ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କାର ସହାୟତା କରାଯାଇ ଧାନ ଚାଷ କରାଯାଉଥିବା ସୂଚନା ମିଳିଛି । ଜୈବିକ ପଦ୍ଧତିରେ ଧାନ ଚାଷ ନିମନ୍ତେ ଏମଭି-୧୦ ଗ୍ରାମର ୫୦ ଜଣ ଚାଷୀଙ୍କୁ ଧାନ ବିହନ ଯୋଗାଇ ଦେଇ ଚାଷୀଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଥିଲା । ଏ ସମନ୍ଧେ ଗତ ଏପ୍ରିଲ ମାସରେ ଏହି ଗ୍ରାମର ଚାଷୀଙ୍କୁ ନେଇ ବୈଠକରେ ସୂଚନା ଦିଆଯାଇ ଥିଲା,ପରବର୍ତ୍ତୀ ସମୟରେ ମଇ ମାସରେ ପୁନର୍ବାର ବୈଠକ କରି ସେହି ସମୟ ବିହନ ଦିଆଯିବ ବୋଲି ବିଭାଗୀୟ କର୍ମଚାରୀମାନେ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପରେ ଜୁଲାଇ ମାସର ୨୧ ତାରିଖ ଦିନ ଏହି ବିଭାଗର ପ୍ରତାପ ନାଏକ ନାମ ଜଣେ କର୍ମଚାରୀ ବିହନ ବଣ୍ଟନ କରିବା ନିମନ୍ତେ ଯାଇଥିଲେ । ସେଠାରେ ଚାଷ କାର୍ଯ୍ୟ ବର୍ତ୍ତମାନ ଅଧା ସମାପ୍ତ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ବିହନ ଫେରେଇ ନେବା ନିମନ୍ତେ ମତ ପ୍ରକାଶ କରିଥିଲେ ଏବଂ ଓଡିଶା ଜୀବିକା ମିଶନ ଗ୍ରାମାଞ୍ଚଳରେ ଚାଷୀଙ୍କୁ କିଭଳି ଭାବରେ ପ୍ରକଳ୍ପ ନାମରେ ଭୁଆ ବୁଲାଊଛନ୍ତି ସେ ସଂପର୍କରେ ଗଣମାଧ୍ୟମ ଆଗରେ ମୁଖ ଖୋଲି ଛନ୍ତି ।ଏ ସମ୍ପର୍କରେ ଓଡିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜକ ପବିତ୍ର ମୋହନ ବାରାଙ୍କୁ ପଚାରିବାରୁ ଏହି ଘଟଣା ସମ୍ପର୍କରେ ସେ କିଛି ଜାଣି ନ ଥିଲା ବେଳେ ଏହାର ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଓଡିଶା ଜୀବିକା ମିଶନର ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ କିପରି କାର୍ଯ୍ୟକାରୀ ହେଉଛି ତାହା ସ୍ବଷ୍ଟ ଅନୁମେୟ ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.