ମାଲକାନଗିରି,୨୦/୦୭(ପିପିଟି):ମାଲକାନଗିରି ଜିଲ୍ଲା ମହାବିଦ୍ୟାଳୟର ସଭାଗୃହରେ ପଢ଼ିବା ମିଶନ- ୨୦୨୨ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାୟ ଏକ ସପ୍ତାହ ଧରି ଚାଲିବ, ପର୍ଯ୍ଯାୟକ୍ରମେ ଛାତ୍ରଛାତ୍ରୀମାନଙ୍କର ପଢ଼ିବା ଅଭ୍ୟାସକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପଢ଼ିବା ଅଭ୍ୟାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ବରିଷ୍ଠ ଅଧ୍ୟାପକ ଲିଙ୍ଗରାଜ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଦିନ କିଛି ଉପାଦେୟ ପୁସ୍ତକ ପଢ଼ିବାର ଅଭ୍ୟାସ ବୃଦ୍ଧି କରିବାକୁ ଉପଦେଶ ହେଇଥିଲା ବେଳେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ତଥା ଆବାହକ ଡ଼ଃ. ରଞ୍ଜନ କୁମାର ସ୍ୱାଇଁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା, ସମର ଶିକ୍ଷାର୍ଥୀ ବାହିନୀ ଏବଂ ଯୁବ ରେଡକ୍ରସର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା ବେଳେ ଜାତୀୟ ସେବା ଯୋଜନାର ଜିଲ୍ଲା ଯୋଜନା ଅଧିକାରୀ ନାମିତା ଦଣ୍ଡସେନା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହା ବ୍ଯତିତ ଅଧ୍ୟାପକ ଡ଼ଃ. ଗୋକୁଳାନନ୍ଦ ପାତ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପଢ଼ିବାର ଅଭ୍ୟାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ । ସଭା ଶେଷରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରମିୟ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post