ଭଞ୍ଜନଗର,୧୪/୦୬(ପିପିଟି): ରକ୍ତର କୌଣସି ବିକଳ୍ପ ନଥିବା ବେଳେ ରକ୍ତଦାନ ପାଇଁ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜୁନ ୧୪ତାରିଖକୁ ବିଶ୍ୱ ରକ୍ତଦାତା ଦିବସ ରୂପେ ପାଳନ କରାଯାଉଛି।ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ଓଡିଶା ରକ୍ତଭଣ୍ଡାର ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଏସଡ଼ିଏମଓ ଡ଼. ସୁରେଶ ଚନ୍ଦ୍ର ସାମନ୍ତ, ଡ଼. ବି.ପ୍ରଣବାନନ୍ଦ ପାତ୍ର ଓ ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ୭ଜଣ ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ମାନିତ କରାଯାଇଥିଲା। କିଭଳି ଅଧିକରୁ ଅଧିକ ନୂତନ ରକ୍ତଦାତା ସୃଷ୍ଟି ଓ ମହିଳା ରକ୍ତଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସଚେତନ କରି ଅଧିକ ରକ୍ତ ସଂଗ୍ରହ କରାଯିବା ଉପରେ ଆଲୋଚନା ହୋଇଥିଲା।ଗତବର୍ଷ ଏହି ରକ୍ତଭଣ୍ଡାରରୁ ମୋଟ ୪,୨୦୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ୫ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏଥିରୁ ମୋଟ ୨୬ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ସମେତ ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ ଯୋଗ ଦେଇ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )