ଭଞ୍ଜନଗର,୧୩/୦୬(ପିପିଟି): ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା କାରଣରୁ ଇସ୍ତଫା ଦେବା ପରେ ଏହି ପଦବୀ ଖାଲି ରହିଥିଲା। ବିଜେଡ଼ି ପକ୍ଷରୁ ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।ଅନ୍ୟ କୌଣସି ପ୍ରାର୍ଥୀ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ନିମନ୍ତେ ପ୍ରତିଦ୍ବନ୍ଦିତା କରୁ ନ ଥିବାରୁ ବିଧିବଦ୍ଧ ଭାବେ ସୋମବାର ଶ୍ରୀ ଆରୁଖ ନୂତନ ବାଚସ୍ପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।ଏହି ଖବର ପ୍ରସାରିତ ହେବାପରେ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ଭଞ୍ଜନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସ୍ବର୍ଗତ ସୋମନାଥ ରଥ ବିଧାୟକ ହୋଇ ୧୯୭୪ ମସିହାରେ ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଏବଂ ୧୯୮୦ ରୁ ୧୯୮୩ପର୍ଯ୍ୟନ୍ତ ବାଚସ୍ପତି ଓ ପରେ କୃଷି ମନ୍ତ୍ରୀ ଦାୟୀତ୍ୱ ରେ ଥିଲେ। ଶ୍ରୀ ଆରୁଖ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଦ୍ଵିତୀୟ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ଭଞ୍ଜନଗର ନିକଟ ଅଗଝୋଳ ଗ୍ରାମର ବଳଭଦ୍ର ଆରୁଖଙ୍କ ଦ୍ଵିତୀୟ ପୁତ୍ର ବିକ୍ରମ କେଶରୀ ଆରୁଖ ୨୮ଅକ୍ଟୋବର ୧୯୬୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ଛାତ୍ର ଜୀବନରୁ ଶ୍ରୀ ଆରୁଖ ରାଜନୀତିରେ ପ୍ରବେଶ କରି ଜଣେ ସଫଳ ଛାତ୍ର ନେତା ଭାବେ ୧୯୮୩/୮୪ ମସିହାରେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୪/୮୫ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ।୧୯୯୨ମସିହାରେ ସକ୍ରିୟ ରାଜନୀତିରେ ଯୋଗଦେଇ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ଭାବେ ୧୯୯୫ ପର୍ଯ୍ୟନ୍ତ ଦାୟୀତ୍ୱ ତୁଲାଇଥିଲେ। ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଠାରୁ ୧୯୯୫ ମସିହାରେ ଜନତା ଦଳ ତରଫରୁ ବିଧାୟକ ଟିକେଟ ପାଇ ବିଧାନସଭା ନିର୍ବାଚନରେ କଂଗ୍ରେସ ର ଟାଣୁଆ ନେତା ସୋମନାଥ ରଥଙ୍କୁ ପରାଜିତ କରି ବିଧାୟକ ହୋଇଥିଲେ। ସେହିଦିନ ଠାରୁ ଲଗାତାର ଭାବେ ୬ଥର ପାଇଁ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ଆସିଛନ୍ତି। ବିଜେଡିର ଜଣେ ଶୃଙ୍ଖଳିତ ନେତା ଭାବେ ବହୁ ପଦବୀରେ ରହି ଦଳୀୟ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରି ଆସିଛନ୍ତି। ଶ୍ରୀ ଆରୁଖ ୨୦୦୮ମସିହାରେ ମୁଖ୍ୟ ସଚେତକ, ୨୦୦୯ମସିହା ଠାରୁ ଆଇନ ଓ ଗ୍ରାମ୍ୟ ଉନ୍ନୟନ, ସମବାୟ,ସୂଚନା ଓ ଲୋକ ସମ୍ପର୍କ,ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ସଂସଦୀୟ ବ୍ୟାପାର ଭଳି ବିଭିନ୍ନ ବିଭାଗର ମନ୍ତ୍ରୀ ଦାୟୀତ୍ୱ ରେ ରହିଥିଲେ।ଏବେ ପୁଣି ବାଚସ୍ପତି ପଦବୀ ପାଇଁ ଦଳ ଭରସା ପ୍ରକଟ କରିଛି।ଯାହାକି ତାଙ୍କର କର୍ତ୍ତବ୍ୟ ନିଷ୍ଠ, କାର୍ଯ୍ୟ ଦକ୍ଷତା ପ୍ରତିପାଦନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ।)
Prev Post
Next Post