ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରି କନ୍ଧମାଳର ଗୌରବ ଆଣିଲେ ରୁନିତା ପ୍ରଧାନ ।

0 221

ବାଲିଗୁଡା,୦୨/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ । ଦାରିଙ୍ଗବାଡି ନିଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନୀ ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ଵବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ । ସେ ୨୦୨୧ ମସିହାରେ ବିଶ୍ୱ ବିଦ୍ୟାଳୟ ସ୍ତରୀୟ (ଏମ୍.ଏ. ଇନ୍ ପଲିଟିକାଲ ସାଇନ୍ସ) ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଵର୍ଣ୍ଣ ପଦକ ହାସଲ କରି କନ୍ଧମାଳ ଜିଲ୍ଲା ତଥା ଦାରିଙ୍ଗବାଡ଼ି ପାଇଁ ପ୍ରଥମ ମହିଳା ଭାବେ ଗୌରବ ଅର୍ଜନ କରି ପାରିଛନ୍ତି । ସେ ତାଙ୍କ ଯୋଗ୍ୟତା ପାଇଁ ବିଶ୍ଵବିଦ୍ୟାଳୟ ସ୍ତରୀୟ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ସୋନାଲି ଦେଓ ମେମୋରିଆଲ ଓ ଗଗନ ବିହାରୀ ଚାନ୍ଦ ମେମୋରିଆଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଏବଂ ବନମାଳୀ ପଟ୍ଟନାୟକ ଅର୍ଥ ରାଶି ପୁରସ୍କାର ପାଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଏମକେସିଜି ଅଡିଟୋରିୟମରେ ଆୟୋଜିତ ୫୧ ତମ ସମାବର୍ତନ ଉତ୍ସବରେ ଦାରିଙ୍ଗବାଡ଼ିର ଏହି ଛାତ୍ରୀ ଜଣଙ୍କର ସବୁଠାରୁ ଅଧିକ ମାର୍କ ଥିବା ହେତୁ ଏହି ଉତ୍ସବରେ ତାଙ୍କୁ ପୁରସ୍କୃତ କରାଯାଇଛି । ସୂଚନା ପ୍ରକାରେ ରୁନିତାଙ୍କ ପିତା ବିସିକେଶନ ପ୍ରଧାନ ଛୋଟ ମୋଟ ବ୍ୟବସାୟ କରୁଥିବା ବେଳେ ମାତା ସନ୍ତୋଷିନୀ ପ୍ରଧାନ ତାଙ୍କୁ ସହଯୋଗ କରୁଛନ୍ତି । ବର୍ତ୍ତମାନ ପୁରସ୍କୃତ ହୋଇଥିବା ରୁନିତା ପ୍ରଥମରୁ ତୃତୀୟ ଡବେରୀ ସେବାଶ୍ରମରେ ଅଧ୍ୟୟନ କରିଥିବା ବେଳେ ୪ର୍ଥରୁ ୫ମ ଦାରିଙ୍ଗବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଷ୍ଠରୁ ଅଷ୍ଟମ ମହାସିଙ୍ଗ ଓ ନବମରୁ ଦଶମ ସରକାରୀ ଉଚ୍ଚ ବିଦ୍ୟାଳୟ ଦାରିଙ୍ଗବାଡ଼ିରେ ପାଠ ପଢ଼ିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ସେ ଭୁବନେଶ୍ୱରରେ ରମାଦେବୀ କଲେଜରୁ ଆରମ୍ଭ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଏମ.ଏ ପାଠ୍ୟକ୍ରମ ଶେଷ କରିଛନ୍ତି । ରୁନିତାଙ୍କ ଏଭଳି ସଫଳତା ପାଇଁ ଅଞ୍ଚଳବାସୀଙ୍କ ସମେତ ତାଙ୍କ ସହପାଠୀ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ରୁନିତା ଦାରିଙ୍ଗବାଡ଼ି ପାଇଁ ଗର୍ବ ଓ ଗୌରବ ଆଣିବା ନେଇ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.